ରାଉରକେଲା: କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ୧୯ ପରୀକ୍ଷଣ ଅଭିଯାନ ଆଜି ରାଉରକେଲା ରେ ଆରମ୍ଭ ହୋଇଛି।
ଏହି ଅଭିଯାନ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ କୋଭିଡ ୧୯ ପରୀକ୍ଷା ଲାଗି ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଶେଷ କରି ବରିଷ୍ଠ ନାଗରିକ ମାନେ ଟେଷ୍ଟିଂ ଲାଗି ମହାନଗର ନିଗମ ପକ୍ଷରୁ ସ୍ଥାପିତ ପରୀକ୍ଷଣ କେନ୍ଦ୍ରକୁ ଆସିବାରେ ସମସ୍ୟା ଦେଖାଦେଉଥିବାରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏବେ ଏହି ଅଭିଯାନ ଅଧୀନରେ ସ୍ବାସ୍ଥ୍ୟ କର୍ମୀ ମାନେ ଏକ ସ୍ୱତନ୍ତ୍ର ଯାନ – ସଞ୍ଜିବନୀ ରଥରେ ସହରର ବିଭିନ୍ନ ଅଞ୍ଚଳ ବୁଲି ସେଠାରେ ବରିଷ୍ଠ ନାଗରିକଙ୍କ କୋଭିଡ ପରୀକ୍ଷା କରିବେ।
ଫଳରେ ବରିଷ୍ଠ ନାଗରିକ ମାନଙ୍କୁ ଆଉ ପରୀକ୍ଷଣ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ । ନିଜ ଘର ନିକଟରେ ହିଁ ସେମାନେ ଏହି ସେବା ପାଇପାରିବେ l ପ୍ରଶାସନ ର ଏପରି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଆଜି ପ୍ରଥମ ଦିନରେ ଏହି ଅଭିଯାନ ରେ ଶହେ କୋଡିଏ ଜଣ ବରିଷ୍ଠ ନାଗରିକଙ୍କର କୋଭିଡ ଲପରୀକ୍ଷା କରାଯାଇଛି l
ଅଭିଯାନ ଆରମ୍ଭ ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନିଲ ନରୱଣେ, ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପୁନଶ୍ଚ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱରୋପ ପୂର୍ବକ ପ୍ରଶାସନ ପକ୍ଷରୁ ଅତି ଅସୁସ୍ଥ ଯେପରିକି ହୃଦରୋଗୀ,ମଧୁମେହ, ଫୁସଫୁସ ଜନିତ ରୋଗ, ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ବରିଷ୍ଠ ନାଗରିକ ମାନଙ୍କ କରୋନା ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ୱାସ୍ଥ୍ୟଚିକିତ୍ସା ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଏମାନଂକ ପାଇଁ ସ୍ୱତନ୍ତ୍ର ଭାବରେ ହାଇଟେକ ହସ୍ପିଟାଲ ରାଉରକେଲା ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ଏଣୁ ଏହାର ସୁବିଧା ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି l
ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଖୁସିର ଖବର, ଆମ ଜିଲ୍ଲାରେ ପ୍ଳାଜ଼ାମା ଦାନ ପାଇଁ ବିଶେଷ ଆଗ୍ରହ ବୃଦ୍ଧି ପାଇଛି, ଏଥି ପାଇଁ ପ୍ରଶାସନ ର ବରିଷ୍ଠ ଅଧିକାରୀ ଙ୍କ ତତ୍ୱାବଧାନରେ ୨ ଗୋଟି ଦଳ ପ୍ଳାଜ଼ମା ଦାନ ନିମନ୍ତେ ଘରକୁ ଘର ଯାଇ ପରାମର୍ଶ ଦେଉଛନ୍ତି, ପୂର୍ବରୁ ପ୍ଳାଜ଼ାମା ଦାନ ନିମନ୍ତେ ରକ୍ତନମୁନା ପରୀକ୍ଷା ପାଇଁ ମେଡିକାଲ ସେଣ୍ଟର କୁ ଆସିବାକୁ ପଡୁଥିଲା ମାତ୍ର ଏବେ ରକ୍ତ ନମୁନା ପରୀକ୍ଷା ବ୍ୟକ୍ତି ଙ୍କ ଘରେ ହିଁ କରାଯାଉଛି l ବିଶେଷ କରି ଏହି ମହତ ଦାନ ପାଇଁ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଙ୍କ ପରାମର୍ଶ ଏବଂ ସମ୍ପୃକ୍ତି ବର୍ତମାନ ଜିଲ୍ଲାର ପ୍ଳାଜ଼ାମା ଦାନ ବୃଦ୍ଧି ପାଇ ଦ୍ବିଗୁଣିତ ହୋଇପାରିଛି l ଏହି ମହତ ଯୋଗଦାନ ପାଇଁ ବିଧାୟକ ଶ୍ରୀଯୁକ୍ତ ନାୟକ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ସାଧୁବାଦ ଜଣାଇବା ସହ ପ୍ଲାଜମା ଦାତା ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l