ନବରଙ୍ଗପୁର: ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ତିନୋଟି ଭାଲୁ। ମା ସହିତ ଅଛନ୍ତି ତାର ଦୁଇଟି ଛୁଆ। ସ୍କୁଲର ଦୁଇ ପାଇଖାନା ମଝିରେ ରହିଛନ୍ତି ଏହି ୩ ଟି ଭାଲୁ। ଭୟରେ ଆତଙ୍କିତ ସ୍କୁଲ ଛାତ୍ର ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ।
ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତ୍ତମାନ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି। ସେହିପରି ୧୬ ଜଣ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସ୍କୁଲ କର୍ମଚାରୀ ମଧ୍ୟ ରହିଛନ୍ତି। ପ୍ରବଳ ବର୍ଷାରେ ଖାଦ୍ୟ ନପାଇ ଭାଲୁ ତା ଛୁଆ ସହ ଗାଁ ମୁହାଁ ହୋଇଛି। ସ୍କୁଲ ପାଚେରୀ ଡେଇଁ ଭାଲୁମାନେ ପ୍ରବେଶ କରିଥିବା ବେଳେ ଉକ୍ତ ଭାଲୁକୁ ଦେଖି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ଭୟ ଆତଙ୍କ ଖେଳିଯାଇଛି।
ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛି। ଅନ୍ୟପଟେ ସକାଳେ ରାତ୍ରି ଜଗୁଆଳି ୫ ଟି ଭାଲୁ ଦେଖିଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି। ସକାଳେ 2ଟି ଭାଲୁ ପଳେଇଥିବା ବେଳେ ବାକି ତିନୋଟି ଭାଲୁ ସ୍କୁଲକୁ ଆଶ୍ରୟ ସ୍ଥଳୀ କରିଛନ୍ତି। ଫଳରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ତିନୋଟି ଭାଲୁକୁ ତୁରନ୍ତ ଜଙ୍ଗଲକୁ ସ୍ଥାନାନ୍ତର କରାଯାଉ ବୋଲି ପ୍ରଧାନଶିକ୍ଷକ ବନବିଭାଗ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି।
ଅପରପକ୍ଷରେ ସ୍କୁଲ ସମୟରେ ଭାଲୁ ଆସିବା ଘଟଣାକୁ ନେଇ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏପରି ଘଟଣା ଦିନେ କିମ୍ବା ଦୁଇ ଦିନ ନୁହେଁ ବାରମ୍ବାର ସ୍କୁଲ ପରିସରରେ ଭାଲୁ ପ୍ରବେଶ କରିବା ଘଟଣା ଏକ ଗମ୍ଭୀର ବିଷୟ ପାଲଟିଛି।
Comments are closed.