ନୂଆଦିଲ୍ଲୀ: ଜଣେ ମୁଖ୍ୟମନ୍ତ୍ରୀ, ଜଣେ ଅଭିନେତା ଓ ଅଘଟଣ । ବ୍ଲକବଷ୍ଟର ପୁଷ୍ପା-୨ ଫିଲ୍ମର ରିଲ୍ କାହାଣୀ ଏବେ ରିୟଲରେ ଦେଖିବାକୁ ମିଳୁଛି। ଫିଲ୍ମରେ ଛୋଟ ଅପମାନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେବାକୁ ଶପଥ ନିଅନ୍ତି ପୁଷ୍ପା, ଆଉ ସଫଳ ବି ହୁଅନ୍ତି । ଦର୍ଶକ ପୁଷ୍ପା-୨ରେ ଦେଖିଥିବା ଏହି କାହାଣୀର ଝଲକ ଏବେ ତେଲେଙ୍ଗାନାରେ ଦେଖିବାକୁ ମିଳୁଛି । ଫିଲ୍ମର ରିଲିଜ ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହେଲେ ସୁପରଷ୍ଟାର ଅଲ୍ଲୁ । ଟାଇମରେ ବେଲ୍ ମିଳିଥିଲେ ବି ଜେଲରେ ରହିଲେ । ଆଜି ପୁଣି ଘଟଣାକୁ ନେଇ ତାଙ୍କୁ ପଚରାଉଚରା କରୁଛି ପୋଲିସ । ପୂରା ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଉଥିବା ତାଙ୍କ ଫ୍ୟାନ୍ ଅଭିଯୋଗ କରୁଛନ୍ତି ।
ଅଲ୍ଲୁଙ୍କ ପଛରେ ପଡିଛନ୍ତି ସରକାର !
ଡିସେମ୍ବର ୪ତାରିଖରେ ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ଏକ ଶୋରେ ଦଳାଚକଟାରେ ଜଣେ ୩୫ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିଲା । ନିଜେ ଅଲ୍ଲୁ ଅର୍ଜୁନ ଶୋରେ ଉପସ୍ଥିତ ଥିଲେ । ଘଟଣାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା । ଏବେ ଅନ୍ତରୀଣ ଜାମିନରେ ଅଛନ୍ତି ଅଲ୍ଲୁ । କଂଗ୍ରେସ ଓ ଏଆଇଏମଆଇଏମ୍ ବିଧାନସଭାରେ ଅଲ୍ଲୁଙ୍କ ବିରୋଧରେ ଦାୟିତ୍ବହୀନତା ଅଭିଯୋଗ ଲଗାଇଥିଲେ । ଏହାପରେ ଅଲ୍ଲୁ ଅର୍ଜୁନ ପ୍ରେସ କନଫରେନ୍ସ କରିଥିଲେ । ପରେ ତାଙ୍କ ହାଇଦ୍ରାବାଦସ୍ଥିତ ଘରେ ଭଙ୍ଗାରୁଜା କରାଯାଇଥିଲା । ଫିଲ୍ମ ଷ୍ଟାର ହୁଅନ୍ତୁ କି ସାଧାରଣ ଜନତା, ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଘଟଣାରେ ରେବନ୍ତ ରେଡ୍ଡୀ ସରକାର ସନ୍ଦେଶ ଦେବାକୁ ଚାହୁଁଥିବା କୁହାଯାଉଛି । ସରକାର କହୁଛନ୍ତି, ଅଲ୍ଲୁ ଅର୍ଜୁନ ଫିଲ୍ମ ହଲକୁ ଆସିବା ନେଇ ପୂର୍ବ ସୂଚନା ନଥିଲା । ତେଣୁ ସେହି ହିସାବରେ ସୁରକ୍ଷା ବ୍ୟବସ୍ଥା କରାଯାଇ ପାରିଲାନି। ତେବେ ହଲକୁ ଯିବା ନେଇ ପୂର୍ବରୁ ସୂଚନା ଦେଇଥିବା ଅଲ୍ଲୁ ଅର୍ଜୁନ କହୁଛନ୍ତି ।
ଅଲ୍ଲୁଙ୍କୁ ଟାର୍ଗେଟ୍…ସହିବେ ତ ଫ୍ୟାନ୍ !
ଦକ୍ଷିଣ ଭାରତରେ ଫିଲ୍ମ ଅଭିନେତାଙ୍କୁ ଭଗବାନ ଭାବନ୍ତି ଫ୍ୟାନ୍ । ଫିଲ୍ମ ଷ୍ଟାରଙ୍କ ବଡ ଫ୍ୟାନ୍ ଫଲୋଇଙ୍ଗ ରହିଥାଏ । ତେଣୁ ଅଲ୍ଲୁ ଅର୍ଜୁନଙ୍କୁ ତେଲେଙ୍ଗାନାର କଂଗ୍ରେସ ସରକାର ଏଭଳି ଟାର୍ଗେଟ୍ କରିବା ଆଶ୍ଚର୍ଯ୍ୟ କରିଛି । କାରଣ ଏଥିରେ କ୍ଷମତାରେ ଥିବା କଂଗ୍ରେସ ବଡ କ୍ଷତି ସହିବା ଆଶଙ୍କା ରହିଛି । କେବଳ ଅଲ୍ଲୁ ନୁହନ୍ତି ତାଙ୍କ ପରିବାରରେ ଅନେକ ଜଣାଶୁଣା ଅଭିନେତା ରହିଛନ୍ତି । ତେଣୁ ଅଲ୍ଲୁଙ୍କୁ ଦଳାଚକଟା ମାମଲାରେ ଅଯଥାରେ ଟାର୍ଗେଟ୍ କରାଯିବା କଂଗ୍ରେସ ପାଇଁ ମହଙ୍ଗା ପଡିପାରେ । ଅଲ୍ଲୁ ଓ ତାଙ୍କ ପରିବାରର ଅନ୍ୟ ଅଭିନେତାଙ୍କ ଫ୍ୟାନ୍ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି । ଫଳରେ ତେଲେଙ୍ଗାନାରେ କଂଗ୍ରେସ ବିରୋଧୀ ମାହୋଲ ହୋଇପାରେ ବୋଲି ଆକଳନ କରାଯାଉଛି ।
ଜାଣିଶୁଣି ଟାର୍ଗେଟ୍ କରୁଛନ୍ତି ରେବନ୍ତ !
୨୦୧୭ରେ ଫିଲ୍ମ ରଇସ ରିଲିଜ ବେଳେ ଟ୍ରେନରେ ଯାତ୍ରା କରିଥିଲେ ଶାହାରୁଖ ଖାନ୍ । ବଡୋଦରା ଷ୍ଟେସନରେ ଶାହାରୁଖ ପହଞ୍ଚିବା ପରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଉଭୟ କେନ୍ଦ୍ର ଓ ଗୁଜରାଟରେ ବିଜେପି ସରକାର ଥିଲେ । ଶାହାରୁଖଙ୍କର ଗାନ୍ଧୀ ପରିବାର ସହ ଭଲ ସଂପର୍କ ଥିବା ସତ୍ବେ ସେତେବେଳେ ବିଜେପି ସରକାର ବ୍ୟକ୍ତିଗତ ରାଗ ରଖି ଏଫଆଇଆର କରିନଥିଲେ । ସମାନ ଘଟଣା ତେଲେଙ୍ଗାନାରେ ଘଟିଛି । ଅଲ୍ଲୁ ଅର୍ଜୁନଙ୍କ ଗୋଟେ ଝଲକ ଦେଖିବାକୁ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ହୋଇଛି । ହେଲେ ଏଠି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି । ବେଲ୍ ମିଳିବା ସତ୍ବେ ସାରା ରାତି ହାଜତରେ ରଖାଯାଇଛି । ପୁଣି ପଚରାଉଚରା ପାଇଁ ଥାନାକୁ ଡକାଯାଇଛି । ଏସବୁ ଦେଖିଲେ ରେବନ୍ତ ସରକାର ଜାଣିଶୁଣି ଅଲ୍ଲୁଙ୍କୁ ଟାର୍ଗେଟ୍ କରୁଥିବା କୁହାଯାଉଛି ।
ଅଲ୍ଲୁଙ୍କୁ ଟାର୍ଗେଟ୍ ପଛରେ ରାଜନୀତି !
ଅଲ୍ଲୁ ଅର୍ଜୁନଙ୍କ ପରିବାର ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବେଶ୍ ପ୍ରଭାବଶାଳୀ । ଅଲ୍ଲୁଙ୍କ ବାପା ଅଲ୍ଲୁ ଅରବିନ୍ଦଙ୍କ ଭଉଣୀ ସୁରେଖାଙ୍କୁ ବିବାହ କରିଛନ୍ତି ତେଲୁଗୁ ସିନେମାର ସୁପରଷ୍ଟାର ଚିରଞ୍ଜୀବୀ । ଚିରଞ୍ଜୀବୀଙ୍କ ସାନ ଭାଇ ପବନ କଲ୍ୟାଣ ବିଜେପିର ସହଯୋଗୀ ଓ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ । ଅଲ୍ଲୁଙ୍କ ଗିରଫଦାରୀ ପରେ ବିଆରଏସ୍ ନେତା କେଟି ରାମାରାଓ ଓ ବିଜେପି ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମାଲୋଚନା କରିଥିଲେ । ଅଲ୍ଲୁ ଅର୍ଜୁନଙ୍କ ଘରେ ଭଙ୍ଗାରୁଜା ଘଟଣା ପରେ କଂଗ୍ରେସ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଟାର୍ଗେଟ୍ କରୁଥିବା ଅଭିଯୋଗ କରିଥିଲା ବିଜେପି ।