Latest Odisha News

କଳା ଗଗଲସ୍ ପିନ୍ଧା ରାବଣ ଓ ଆମ ସୁରତ ଫେରନ୍ତା ହୀରୋମାନେ

ରମାକାନ୍ତ ସାମନ୍ତରାୟ

ପିଲାଦିନେ ମୋ ମାମୁଁଘର ଗାଁରେ ପ୍ରତିବର୍ଷ ରାମଲୀଳା ହେଉଥିଲା । ରାମଲୀଳାରେ ମୋର ଦୁଇଟି ପସନ୍ଦଯୋଗ୍ୟ ଚରିତ୍ର ଥିଲେ ହନୁମାନ ଓ ରାବଣ । ଅବଶ୍ୟ ହନୁମାନ ଚରିତ୍ରକୁ ପ୍ରାୟ ପିଲା ପସନ୍ଦ କରୁଥିଲେ । ମୁଁ କିନ୍ତୁ ହନୁମାନଙ୍କ ସହ ରାବଣଙ୍କୁ ବି ଭଲପାଉଥିଲି । କାରଣଟି ଏକାନ୍ତ ବ୍ୟକ୍ତିଗତ ଥିଲା । କଥା ହେଲା, ରାବଣ ଚରିତ୍ରରେ ଯିଏ ସଦା ସର୍ବଦା ଅଭିନୟ କରୁଥିଲେ ସେ ମୋ ମାମୁଁଘରର ନାଗୁଆ ମୂଲିଆ ଥିଲେ ଓ ମୋତେ ବହୁତ ଭଲପାଉଥିଲେ ।

ଗାଁ ଦାଣ୍ଡରେ ବାଉଁଶ ପୋତା ହେଇ ମଞ୍ଚ ବନ୍ଧା ହେଉଥିଲା । ମଞ୍ଚ ଉପରେ ପଡୁଥିଲା ନଡ଼ିଆ ବାହୁଙ୍ଗା । ଗୋଟେ ହାତ ହୁଗୁଳା କାଠ ଚେୟାର ଉପରେ ବସୁଥିଲେ ଜଗତ ବିଜୟୀ ପ୍ରବଳ ପରାକ୍ରମୀ ଲଙ୍କାଧିପତି ରାବଣ । ରାବଣଙ୍କ ବେଶ ପରିପାଟୀ ଚମତ୍କାର ଥିଲା । ପୁରା ଦେହରେ ବୋଳା ହେଉଥିଲା ରବିନ୍ ବ୍ଳୁ । ସେ ପାଦରେ ପିନ୍ଧୁଥିଲେ ହଳେ ରେନି ସୁ । ଜରି ଲଗା ଗୋଟେ ନାଲି ରଙ୍ଗର ଧୋତି ବି ପିନ୍ଧୁଥିଲେ । ମଥାରେ ଗୋଟେ ଅଧା ସୂର୍ଯ୍ୟ ଆଙ୍କୁଥିଲେ । ଆଉ ଅନ୍ଧାର ରାତିକୁ ଉଜ୍ଜ୍ୱଳ କରୁଥିବା, ସଁ ସଁ ଗର୍ଜନ କରୁଥିବା ପେଟ୍ରୋମାକ୍ସ ଆଲୁଅଙ୍କ ଗହଣରେ ରାବଣ ଗୋଟେ କଳା ଗଗଲେସ୍ ନିଶ୍ଚୟ ପିନ୍ଧୁଥିଲେ । ସେ ପିଲାଦିନରେ ଆମେ ଧରିନେଇଥିଲୁ  ଯେ; ରାବଣ ସ୍ୱର୍ଣ ଲଙ୍କାର ରାଜା, ତେଣୁ ସେ ଅନ୍ଧାର ରାତିରେ କଳା ଗଗଲେସ୍ ପିନ୍ଧିବାର ହକଦାର । ପରେ ବଡ଼ ହେଲା ପରେ ଭୁବନେଶ୍ୱର ଆସିଲା ପରେ ଦକ୍ଷିଣ ଓଡ଼ିଶାର ପ୍ରହ୍ଳାଦ ନାଟ ବା ରାଜା ନାଟ ଦେଖିଲି । ସେଥିରେ ହିରଣ୍ୟକଶିପୁ ମଧ୍ୟ ରାତିରେ କାଳା ଗଗଲେସ୍ ପିନ୍ଧିଥା’ନ୍ତି । ମୁଁ ଖୁସି ହେଲି । ଆମ ପଟର ରାବଣ ପରି ଦକ୍ଷିଣୀ ହିରଣ୍ୟକଶିପୁ ମଧ୍ୟ କାଳା ଗଗଲେସ୍ ପିନ୍ଧୁଛନ୍ତି । ଦକ୍ଷିଣ ଓଡ଼ିଶାର ଦୁଆରୀ ନାଟର ମୁଖ୍ୟ ଚରିତ୍ର ଦୁଆରିକୁ ଦେଖିବା କଥା । ସେ ଗୋଟେ ହାଫ୍ ପ୍ୟାଣ୍ଟ ଓ ପୁରା ହାତ ବାଲା ସାର୍ଟ ପିନ୍ଧିଥା’ନ୍ତି । ସାର୍ଟ ଉପରେ ଜହୁରୀ କୋର୍ଟ । ମୁଣ୍ଡରେ ଏରା ପରଲଗା ମୁକୁଟ । ଅବଶ୍ୟ ଦୁଆରୀ ବାବୁ କଳା ଗଗଲେସ୍ ପିନ୍ଧୁନଥିଲେ ।

ମୋ ପିଲାଦିନେ ଗାଁରେ ଅଷ୍ଟପ୍ରହରୀ ହେଉଥିଲା ।  ସାରା ଗାଁ ଲୋକେ ଚାନ୍ଦା ଭେଦା ଦେଉଥିଲେ । ଆଖ ପାଖ ଗାଁରୁ ପଞ୍ଝା ପଞ୍ଝା କୀର୍ତ୍ତନିଆ ଆସୁଥିଲେ । ସାରା ଦିନ ସାରା ରାତି ନାମ ଜପ ହେଉଥିଲା । ଆଠ ପ୍ରହରର ନାମ ଜପ ପରେ ଖରାବେଳିଆ ନଗର କୀର୍ତ୍ତନ ହେଉଥିଲା ।  କର୍ତ୍ତା ଗୋଟେ ପିତ୍ତଳ ଥାଳିରେ ନିତାଇ ଗୌର’ଙ୍କ କାଚ ବନ୍ଧେଇ ଫଟୋ ଧରି କୀର୍ତ୍ତନିଆଙ୍କ ସାଙ୍ଗରେ ଚାଲୁଥିଲେ । ଆଗରେ ଚାଲୁଥିଲେ କୁନି କୁନି ରାଧାକୃଷ୍ଣ ଓ ପଛରେ ଚାଲୁଥିଲେ ନନ୍ଦ ଯଶୋଦା । କୃଷ୍ଣଙ୍କ ସାରା ଦେହରେ ରବିନ୍ ବ୍ଳୁ ବୋଳା ଯାଉଥିଲା । ନନ୍ଦ ରଜାଙ୍କ ବେଶ ଥିଲା ଧୋତି ଓ ହାଫ୍ ସାର୍ଟ । ସାର୍ଟ ଉପରେ ଗୋଟେ କଳା କୋର୍ଟ । ମୁହଁରେ ଝୋଟର ନିଶ ଦାଢୀ । ମୁଣ୍ଟରେ ବଡ଼ ଠେକା । କାନ୍ଧରେ ବାହୁଙ୍ଗି ଓ ଭାର । ରାଣୀ ଯଶୋଦା ଓ ରାଜା ନନ୍ଦ ଉଭୟେ କଳା ଗଗଲେସ୍ ନିଶ୍ଚୟ ପିନ୍ଧୁଥିଲେ ।

ମୋର ମନେଅଛି ମୋ ପିଲା ଦିନେ ଆମ ଗାଁର ବେଶ୍ କିଛି ଲୋକ କଲିକତାରେ କାମ କରୁଥିଲେ । ଛୋଟ ମୋଟ ମଜୁଦୁରୀ କାମ କରୁଥିଲେ ବି ସେମାନେ ଯେବେ ଗାଁ’କୁ ଆସୁଥିଲେ ସେମାନଙ୍କ ବେଶ ପୋଷାକ ଦେଖିବାର କଥା । ସେଥିରୁ ଜଣଙ୍କର କଥା ଏଠି କହୁଛି । ସେ ପ୍ରାୟତଃ ରାତିରେ ହିଁ ଗାଁରେ ପହଞ୍ଚୁଥିଲେ । ପରଦିନ ସକାଳୁ ଗୋଟେ ଅରଖ ନୂଆ ଲୁଙ୍ଗି, ନୂଆ ହାତ କଟା ଧଳା ଗଞ୍ଜି ଓ ତା’ ଉପରେ କାନ୍ଧରେ କଲିକତି ଗାମୁଛା । ହାତରେ କଳାରଙ୍ଗର ଛୋଟିଆ ବାଡ଼ି । ସେ ସେଦିନର ଦ୍ୱିପ୍ରହର ଯାଏଁ ଗୁରୁଜନମାନଙ୍କୁ ପ୍ରଣାମ କରି କରି ଭଲ ମନ୍ଦ ପଚାରି ବୁଲୁଥିଲେ । ତାଙ୍କର କଲିକତି ଆଦବ କାଇଦା ଦେଖି ମୁଁ ସେତେବେଳେ ଭାବୁଥିଲି କକେଇ ଆମର କିଛି ଗୋଟେ ମାତବର ଚାକିରି କଲିକତାରେ କରୁଛନ୍ତି ପରା । ପରେ ଜାଣିଲି ସେ ଗୋଟେ ଚଟକଳରେ କ’ଣ ଗୋଟେ କାମ କରୁଥିଲେ ।

ମୁଁ ଟିକେ ବଡ଼ ହେଲା ପରେ ଦେଖିଲି ଗାଁ ପିଲାଏ ଏଥର କଲିକତା ଆଡେ଼ ନଯାଇ ସୁରତ ଓ ବାଙ୍ଗାଲୋର ଆଡେ଼ ଯିବା ଆରମ୍ଭ କଲେ । ଯିଏ ଯୁଆଡେ଼ ଗଲେ ବି ବର୍ଷରେ ଥରୁଟେ ଗାଁ ଆଡେ଼ ନିଶ୍ଚୟ ଆସୁଥିଲେ । ସେତେବେଳେ ସେମାନଙ୍କ ବେଶ ପୋଷାକ ଦେଖିବା କଥା । ଗାଁରେ ପହଞ୍ଚିଲା ବେଳକୁ ଡାହାଣ ହାତରେ ନିଶ୍ଚୟ ଡିଜିଟାଲ ୱାଚ୍ ଥିବ । ଆଖିରେ ଡୁପ୍ଲିକେଟ୍ ରେ-ବାନ୍ ଚଷମା । ଦେହରେ ଜିନ୍ସ୍ ଓ ଟି ସାର୍ଟ । ପାଦରେ ନାଇକ୍ କି ଆଡିଡାସ୍ ର ଲୋଗୋ ଛାପା ଥିବା ସ୍ପୋର୍ଟସ୍ ସୁ । ଆଙ୍ଗୁଳି ସନ୍ଧିରେ ହରଦମ୍ ସିଗାରେଟ୍ । ପ୍ରଥମେ ପ୍ରଥମେ କେଇଦିନ ସେମାନେ ଭଲରେ ଓଡ଼ିଆ କହିପାରିବେନି । ମାତ୍ର ଗୋଟିଏ ବର୍ଷରେ ସେମାନେ ଓଡ଼ିଆ ଭୁଲି ହିନ୍ଦୀ ମିଶା ଭାଷା କହୁଥିବେ ଓ ଗାଁ ଦୋକାନୀକୁ  ଗୋଟେ ସିଗାରେଟ ପାଇଁ ଶହେ ଟଙ୍କିଆ ନୋଟ୍ ବଢ଼ଉଥିବେ । ସେଥିରୁ କେହି କେହି ତ ସାରା ଦିନ କାନରୁ ୱାକମେନ୍ ର ହେଡଫୋନ୍ ଖସଉନଥିବେ । ଅବଶ୍ୟ ଏ ସବୁ ମୋବାଇଲ୍ ଫୋନ୍ ଆସିବାର ବହୁ ପୂର୍ବର କଥା ।

କଥା ହେଲା ଏମାନେ ସମସ୍ତେ; ମାନେ ଆମ ଗାଁର କଲିକତି ସୁରତ ଫେରନ୍ତା ହୁଅନ୍ତୁକି ରାମଲୀଳାର ରାବଣ କି ରାଜାନାଟର ହିରଣ୍ୟକଶିପୁ ହେଉ, ନହେଲେ ଅଷ୍ଟପ୍ରହରୀର ନନ୍ଦ ଯଶୋଦା ହୁଅନ୍ତୁ କି ଦୁଆରୀ ନାଟର ଦୁଆରୀ ହୁଅନ୍ତୁ, ଏମିତି ବେଶ ପୋଷାକ ସେମାନେ ପିନ୍ଧନ୍ତି କାହିଁକି? କାରଣ ଅଜଣା ନୁହେଁ । କଳା ଚଷମା, କଳା କୋର୍ଟ ଓ ଜହୁରୀ କୋର୍ଟ,ଏ ସବୁକିଛିକୁ ସାଧାରଣରେ ଅଭିଯାତର ସଙ୍କେତ ଭାବରେ ଧରି ନିଆଯାଇଛି । ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଭାବରେ  ରାବଣ ଓ ହିରଣ୍ୟକଶିପୁ ଅନ୍ଧାର ରାତିରେ ପେଟ୍ରୋମାକ୍ସ ଆଲୁଅରେ କଳା ଚଷମା ପିନ୍ଧିଛନ୍ତି । କଲିକତି ଓ ସୁରତ ଫେରନ୍ତା ମାନେ ଗାଁର ଅନ୍ୟମାନଙ୍କ ଠାରୁ ଅଲଗା ଓ ପ୍ରଗତିଶୀଳ ବୋଲି ଦେଖାଇ ହେବାକୁ ବେଶ ପୋଷାକ ଓ ଭାଷାରେ ଭିନ୍ନତା ଆଣିଛନ୍ତି । ହିନ୍ଦୀ ଚଳଚ୍ଚିତ୍ରର ନାୟକ ଓ ନାୟିକାମାନଙ୍କ ବେଶ ପରିପାଟୀ ମଧ୍ୟ ଯୁବପିଢୀ ଉପରେ କିଛି କମ୍ ପ୍ରଭାବ ପକାଇନି । ଗୋଟେ ସମୟରେ ରାସ୍ତା ଘାଟରେ ଗଣ୍ଡା ଗଣ୍ଡା ବଚ୍ଚନ୍ ଓ ମିଥୁନ୍ ଦେଖିବାକୁ ମିଳୁଥିଲେ । ଆମ ଲୋକ ସଂସ୍କୃତିର ଏଇ ଭିନ୍ନ ଦୃଶ୍ୟାୟନକୁ ନିରୋଳା ହୀନମନ୍ୟତା କହି ଏଡେ଼ଇ ଦେଲେ ହେବନି । ଇଏ ବି ଆମ ସଂସ୍କୃତିର ଏକ ରୂପ । ଏକଥା ସତ ଯେ, ଆମ ଗାଁ ଗହଳ ଓ ଛୋଟ ସହର ମାନଙ୍କର ପପ୍ ସଂସ୍କୃତି ଊପରେ କିଛି କାମ ହେଇନି । ଯାହା କିଛି ଅଛି ତାହା କେବଳ ବାଚନିକ ଭାବରେ ହିଁ ରହିଛି । ଆମ ଚାରିପାଖର ଭିଜୁଆଲ୍ କଲଚର୍ ବା ଦୃଶ୍ୟ ସଂସ୍କୃତି ସମ୍ପର୍କରେ ଯଥାଯଥ ଗବେଷଣାର ବହୁତ ଆବଶ୍ୟକତା ରହିଛି ।

Comments are closed.