Latest Odisha News

ରାଜ୍ୟରେ କୃଷି ସମସ୍ୟା ନେଇ ଗର୍ଜିଲା ବିଜେପି; ଚାଷୀଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ରରୁ ଚାଷୀଙ୍କ ପାଇଁ ଆସୁଛି ସହାୟତା । ହେଲେ ଚାଷୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଦିନକୁ ଦିନ ବଢିଚାଲିଛି କୃଷି ଓ କୃଷକ ସମସ୍ୟା । ଦେଶରେ ବିଜେପି ୯ ବର୍ଷର ଶାସନକାଳରେ ଚାଷୀମାନଙ୍କ ଆୟ ଦୁଇ ଗୁଣା କରିଥିବାବେଳେ ବିଜେଡି ର ଦୀର୍ଘ ୨୪ ବର୍ଷ ଶାସନ କାଳରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ବଞ୍ଚିତ ଚାଷୀଙ୍କୁ ମିଳୁନି ନ୍ୟାୟ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ । ଏନେଇ କୃଷକ ମୋର୍ଚ୍ଚା ପକ୍ଷରୁ ନୂଆଦିଲ୍ଲୀରେ କେନ୍ଦ୍ର କୃଷି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କ ନେତୃତ୍ଵରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶମ୍ଭୁ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଗତ ନଭେମ୍ବର ମାସରେ ଓଡ଼ିଶାରେ ଅନାବୃଷ୍ଟି କାରଣରୁ ମରୁଡ଼ି ହୋଇ ରାଜ୍ୟରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ୨୪ ବର୍ଷର ଶାସନକାଳରେ ଓଡ଼ିଶା ସରକାର ଚାଷ ଜମିକୁ ଜଳସେଚନ କରିବାରେ ବିଫଳ ହୋଇଛନ୍ତି । ସେହିପରି ଶୀତଳ ଭଣ୍ଡାର କରିବାରେ ମଧ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛି । ଓଡ଼ିଶାରେ ପ୍ରମୁଖ ଚାଷ ଧାନ ଚାଷ କିନ୍ତୁ ଦୀର୍ଘ ବର୍ଷ ଧରି ଓଡ଼ିଶାର ଚାଷୀ ଶୋଷିତ ହେଉଛି । ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିନଥିବା କାରଣରୁ ଚାଷୀ ତାର ଧାନକୁ ୧୩ ଶହରୁ ୧୪ ଶହ ଟଙ୍କାରେ ଦଲାଲମାନଙ୍କୁ ବିକିବା ପାଇଁ ବାଧ୍ୟ ହେଉଛି ।

ବିଗତ ଦିନମାନଙ୍କରେ ଧାନ ମଣ୍ଡି ଗୁଡିକରେ ଚାଷୀମାନଙ୍କ ଠାରୁ କ୍ବିଣ୍ଟାଲ୍ ପ୍ରତି ୫ କିଲୋରୁ ୧୦ କିଲୋ ଧାନ କଟନିଛଟନି କରାଯାଇ ଚାଷୀକୁ ଶୋଷଣ କରାଯାଇଛି । ସବୁ ଧାନ ମଣ୍ଡିରେ ମିଲରମାନଙ୍କର ରାଜ୍ ଚାଲିଛି । ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଚାଲିଛି । ଧାନମଣ୍ଡି ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ । ଏପରିକି ଧାନକୁ ସୁରକ୍ଷିତ ରଖିବା ପାଇଁ ପକ୍କାଘର ନାହିଁ, ବାଉଣ୍ଡ୍ରୀୱାଲ୍ ନାହିଁ, ଚାଷୀମାନଙ୍କ ପାଇଁ ପିଇବା ପାଇଁ ପାଣି, ବସିବାର ବ୍ୟବସ୍ଥା ନାହିଁ । କୃଷକମାନଙ୍କୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ କେନ୍ଦ୍ର ସରକାର କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି କିନ୍ତୁ ଓଡ଼ିଶାରେ ଏହି କାରବାରରେ ବ୍ୟାପକ ଦୁର୍ନୀତି ହେଉଛି ।

ଏପରିକି ବାଲେଶ୍ବର ଜିଲ୍ଲା ରେମୁଣାର ଶାସକଦଳର ବିଜେଡି ବିଧାୟକ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଓଡ଼ିଶା ଭିଜିଲାନ୍ସ ବିଭାଗ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି । ଓଡ଼ିଶାର କୃଷିମନ୍ତ୍ରୀଙ୍କ ନିଜ ବିଧାନସଭା କ୍ଷେତ୍ରରେ ଚାଷୀମାନଙ୍କ ନାମରେ କୋ-ଅପରେଟିଭ୍ ସୋସାଇଟିମାନଙ୍କରେ ଜାଲିଆତି କରି କୋଟି କୋଟି ଟଙ୍କାର ଋଣ ଦୁର୍ନୀତି ହୋଇଛି । ସାରା ରାଜ୍ୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଉଥିବା ସହାୟତା ଯୋଜନାକୁ ବ୍ୟାପକ ଭାବେ ହରିଲୁଟ୍ କରାଯାଉଥିବା ନେଇ କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି ।

Comments are closed.