ଭୁବନେଶ୍ଵର: ମହିଳାଙ୍କ ଉପରେ ଘଟୁଥିବା ସଂଗୀନ ଅପରାଧ ତଦନ୍ତ କରିବା ପାଇଁ ଗୃହ କମିଟି ତୁରନ୍ତ ଗଠନ କରାଯାଉ ବୋଲି କଂଗ୍ରେସର ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି। ପ୍ରତିଦିନ ମା’ ଭଉଣୀମାନଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ତତ୍ଜନିତ ମୃତ୍ୟୁର ଖବର ସବୁଦିନ ଖବର କାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରୁଛି। କିନ୍ତୁ ସରକାର ଓ ସରକାରୀ ଦଳ ଏକମାତ୍ର ଯେ ଏ କଥାକୁ ବିଧାସଭାରେ ଆଲୋଚନା କରିବେ ନାହିଁ ଏବଂ ଗୃହ କମିଟି ଗଠନ କରିବେ ନାହିଁ । ସରକାରୀ ଦଳ ଆଜି ଯେଉଁ ଆରୋପ ଲଗାଉଛନ୍ତି ତାହା କେବଳ ଆରୋପ ମାତ୍ର। ରାଜ୍ୟବାସୀ ଏ ଘଟଣାର ସଂପୂର୍ଣ ମୁକସାଖୀ ଅଛନ୍ତି ।ରାଜ୍ୟ କଂଗ୍ରେସର ବିଧାୟକମାନେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଯେଉଁଭଳି ଭାବରେ ଅତ୍ୟାଚାର, ଦୁଷ୍କର୍ମ ଗଣଦୁଷ୍କର୍ମ ଓ ତତ୍ଜନିତ ମୃତ୍ୟୁ ବୃଦ୍ଧି ପାଉଛି ତାକୁ ନେଇ ପ୍ରଶ୍ନ ଉଠାଇବା କ’ଣ ଆମର ଅପରାଧ କି ? ରାଜ୍ୟର ଜନସଂଖ୍ୟାର ଅଧାଅଧି ମହିଳା ଅଥଚ ତାଙ୍କ ସମସ୍ୟାକୁ ଉଠାଇବା ଆମର ଗୁରୁ ଦାୟିତ୍ଵ କି ନାହିଁ ତାହା ଆମକୁ କେହି ନୀତିଶିକ୍ଷା ଦେବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଦୁଇଟି ଆଦିବାସୀ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଅନ୍ତସତ୍ବା ହେଲେ, କିନ୍ତୁ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନଜର ନାହିଁ ।
ଏଥିସହ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଏହି ଅଳ୍ପଦିନ ମଧ୍ୟରେ ନବରଙ୍ଗପୁର ଉମରକୋଟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମଦ ପିଆଇ ଗଣଧର୍ଷଣ କରାଗଲା । ବରଗଡ଼ ଟାଉନରୁ ଦୁଇ ଜଣ ନାବାଳିକା ଗତ ୧୮ ତାରିଖରୁ ନିଖୋଜ ଥିଲେ , ସେମାନଙ୍କ ମଧ୍ୟରୁ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଆଉ ଜଣଙ୍କର ପତ୍ତା ମିଳୁନାହିଁ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ରାଜ୍ୟରେ ମା’ ଭଉଣୀମାନଙ୍କୁ ଗଣଧର୍ଷଣ କରାଯାଉଛି । ଛୋଟ ଛୋଟ ସ୍କୁଲ ପିଲାମାନେ ଗର୍ଭବତୀ ହେଉଛନ୍ତି । ରାଜ୍ୟର ମା’ ଭଉଣୀଙ୍କ ସୁରକ୍ଷା ପ୍ରତି ସରକାରଙ୍କର କିଛି ଦାୟିତ୍ୱ ଅଛି କି ନାହିଁ ? ରାଜ୍ୟର ଜନସାଧାରଣ କର ଦେଉଛନ୍ତି, ତାଙ୍କ କର ପଇସାରେ ବିଧାନସଭାରେ ବିରୋଧୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ଏବଂ ମାରିବା ପାଇଁ ଦେଉଛନ୍ତି କି ? ତାଙ୍କ କର ପଇସା ଆଦାୟ କରୁଥିବା ସରକାର ତାଙ୍କୁ ସୁରକ୍ଷା ଦେଉନାହାନ୍ତି କାହିଁକି ? ରାଜ୍ୟର ମହିଳାମାନଙ୍କ ସୁରକ୍ଷା ପାଇଁ ଆଇନ୍ ଆଣିବା ସରକାରଙ୍କ ଦାୟିତ୍ଵ।
ପ୍ରମିଳା ମଲ୍ଲିକ ଗତ ବିଧାନସଭାରେ ବାଚସ୍ପତି ଥିଲାବେଳେ ତାଙ୍କୁ ଉପରକୁ ଡାଲି ଓ ଜୋତା ବିଜେପି ଦଳର ବିଧାୟକମାନେ ଫୋପାଡ଼ିଥିଲେ। ଆମେ କେବେ ହେଲେ ଜୋତା ଫୋପାଡ଼ି ନାହୁଁ । ଆମେ କେବଳ ଦାବି କରୁଛୁ ଗୃହ କମିଟି ଗଠନ କରାଯାଇ ଯେଉଁ ସଂଗୀନ ମହିଳା ଅପରାଧ ରାଜ୍ୟରେ ଘଟିଛି ତାହାର ତଦନ୍ତ ହେଉ । କିନ୍ତୁ ସରକାର ଏ କଥାକୁ ଗ୍ରହଣ କରୁନାହାନ୍ତି କାହିଁକି ? ଆଗେ ସ୍ପଷ୍ଟ କରନ୍ତୁ । କଂଗ୍ରେସ ଦଳର ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ କଂଗ୍ରେସ ବିଧାୟକ ଦଳ ଏ ବିରୋଧ ଚାଲୁ ରଖୁବ ଯେ ପର୍ଯ୍ୟନ୍ତ ଗୃହ କମିଟି ଗଠନ କରାଯାଇନାହିଁ । ଗୃହ କମିଟି ଗଠନ କରିବା ପାଇଁ ସ୍ଵତନ୍ତ୍ର ଆଇନ ଅଛି। ପୂର୍ବରୁ ମଧ୍ୟ ଗୃହ କମିଟି ଗଠନ କରାଯାଇଛି ।ଗୃହ କମିଟି ଗଠନ କରରିବାକୁ ଏଥିପାଇଁ ଡରୁଛନ୍ତି ଯେ ଯଦି ତଦନ୍ତ ହୁଏ ସମସ୍ତ ଘଟଣାର ସତ୍ୟତା ପଦାରେ ପଡ଼ିବ। ସରକାରଙ୍କ ଅପରାଗତା ସମସ୍ତେ ଜାଣିବେ। ସେ ସବୁ ନ କରି କେବଳ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ଦୋଷାରୋପ କଲେ ସମସ୍ୟାର ସମାଧାନ ହେବ ନାହିଁ।
ବିଧାୟକ ବାହିନୀପତି ଆହୁରି କହିଛନ୍ତି, ପ୍ରଥମ ଥର ପାଇଁ ସରକାର ଗଠନ କରିବାରେ ସମର୍ଥ ହେଉଛନ୍ତି। ଏ ସରକାର କାର୍ଯ୍ୟ ପ୍ରଣାଳି ଓଡ଼ିଶାର ଜନସାଧାରଣ ଅତିଷ୍ଠ ହୋଇସାରିଲାଣି। ଯଦି ସତ୍ ସାହାସ ଅଛି, ସରକାର ଭାଙ୍ଗନ୍ତୁ। ସାନି ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏବେ ନିର୍ବାଚନ ହେଲେ ଖାତା ଖୋଲି ପାରିବେନି ବୋଲି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅଶୋକ ଦାସ, ରାଜନ ଏକ୍ଜା, ପ୍ରଫୁଲ ପ୍ରଧାନ, କାଡ୍ରାକ ଆପାଲା ସ୍ଵାମୀ, ପବିତ୍ର ସାଉଁଟା, ସାଗର ଦାସ, ନୀଳମାଧବ ହିକ୍କା, ମଙ୍ଗୁ ଖିଲ ଓ ସତ୍ୟଜିତ ଗମାଙ୍ଗୋ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Comments are closed.