Latest Odisha News

ଆମେରିକାରେ ଚାଲିଛି ‘ଜୋକର ଶୋ’ !

ଓ୍ବାଶିଂଟନ୍: ଆମେରିକା ରାଜନୀତିରେ ହଟଚମଟ । ବର୍ତ୍ତମାନର ଟ୍ରମ୍ପ ପ୍ରଶାସନ ଏବଂ ଆମେରିକୀୟ ରାଜନୀତିର ସ୍ତରକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ସେ ଏହାକୁ କେବଳ ସମାଲୋଚନା କରିନାହାନ୍ତି, ବରଂ ଏହାକୁ ‘ଜୋକରଙ୍କ ଶୋ’ ବୋଲି କହିଛନ୍ତି ।

ଓବାମା ଏକ ସାକ୍ଷାତକାରରେ ଟ୍ରମ୍ପ ପ୍ରଶାସନ ଉପରେ ପ୍ରବଳ ବର୍ଷିଛନ୍ତି । ବିଶେଷ କରି ସୋସିଆଲ ମିଡିଆରେ ତାଙ୍କୁ ଓ ମିସେଲ୍ ଓବାମାଙ୍କୁ ନେଇ ଜାରି କରାଯାଇଥିବା ଏକ ବିବାଦୀୟ ଭିଡିଓ ଏବଂ ସେଥିପାଇଁ ଡୋନାଲ୍ଡ ଟ୍ରମ୍ପ କ୍ଷମା ନ ମାଗିବା ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଓବାମା କହିଛନ୍ତି ଯେ, ଆମେରିକାର ଅଧିକାଂଶ ନାଗରିକ ଏଭଳି ଅଶାଳୀନ ବ୍ୟବହାରକୁ ନେଇ ଚିନ୍ତିତ ।

ଓବାମାଙ୍କ କହିବା କଥା ହେଉଛି– ଆଜିକାଲି ଇଣ୍ଟରନେଟ୍ ଏବଂ ଟେଲିଭିଜନରେ ଯେଉଁ ରାଜନୀତି ଚାଲିଛି, ତାହା ଏକ ସର୍କସ ଭଳି । ଯେଉଁ ପଦବୀ ପାଇଁ ଦିନେ ମର୍ଯ୍ୟାଦା, ଶିଷ୍ଟାଚାର ଏବଂ ସମ୍ମାନ ରହିଥିଲା, ତାହା ଆଜି ସଂପୂର୍ଣ୍ଣ ରୂପେ ହଜିଯାଇଛି । କ୍ଷମତାରେ ଥିବା ଲୋକଙ୍କ ପାଖରେ ଆଉ ସାମାନ୍ୟତମ ଲଜ୍ଜା ମଧ୍ୟ ନାହିଁ ବୋଲି ଅଭିଯୋଗ କରିଛନ୍ତି ଓବାମା ।

କେବଳ ସେତିକି ନୁହେଁ, ଓବାମା ନିଜ ଦଳ ଅର୍ଥାତ୍ ଡେମୋକ୍ରାଟ୍ସମାନଙ୍କୁ ମଧ୍ୟ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ ରିପବ୍ଲିକାନ୍ ପାର୍ଟିର “ଜଳାଅ ଏବଂ ନଷ୍ଟ କର” ନୀତିର ଜବାବ ସେହି ଶୈଳୀରେ ଦେବା ଅନୁଚିତ୍ । ଯଦି ଆମେ ସତ୍ୟ ଏବଂ ମର୍ଯ୍ୟାଦାକୁ ପଛରେ ପକାଇ ଦେବା, ତେବେ ଗଣତନ୍ତ୍ର ବିପଦରେ ପଡ଼ିବ ।

ଓବାମା ଶେଷରେ କହିଛନ୍ତି ଯେ, ସେ ମଧ୍ୟ ନିଜ କାର୍ଯ୍ୟକାଳ ସମୟରେ ବିରୋଧୀ ଦଳ ଶାସିତ ରାଜ୍ୟ ବିରୋଧରେ ସାମରିକ କିମ୍ବା ଆର୍ଥିକ ଶକ୍ତିର ଅପବ୍ୟବହାର କରିପାରିଥାନ୍ତେ, କିନ୍ତୁ ସେ ଗଣତନ୍ତ୍ରର ନିୟମକୁ ସମ୍ମାନ ଦେଉଥିଲେ । ତେଣୁ ଟ୍ରମ୍ପ ଶାସନରେ ଯେଉଁ ଭୟର ବାତାବରଣ ତିଆରି ହୋଇଛି, ସେଥିରେ ହତାଶ ନ ହୋଇ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଆମେରିକା ରାଜନୀତିର ଏହି ଜୋକର ଶୋ ଆଗକୁ କେଉଁ ରୂପ ନେଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.