ନୂଆଦିଲ୍ଲୀ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ବିରାଟ କୋହଲିଙ୍କ ନାମରେ ଆଉ ଏକ ବିବାଦ ଯୋଡି ହୋଇଯାଇଛି । ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସଙ୍କୁ କୋହଲି କାନ୍ଧରେ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏ ନେଇ କୋହଲି ଦଣ୍ଡିତ ମଧ୍ୟ ହୋଇଛନ୍ତି । ତେବେ ପଡିଆରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବା କୋହଲିଙ୍କ ପାଇଁ ନୂଆ କଥା ନୁହେଁ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସିଥିବା ବେଳେ ଡିନ ଏଲଗାରଙ୍କ ଉପରେ କୋହଲି ଛେପ ପକାଇଥିଲେ । ଏଲଗର ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ପରେ ଅବଶ୍ୟ ୨୦୧୮ରେ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ବେଳେ ଏଲଗାରଙ୍କୁ କ୍ଷମା ମାଗିଥିଲେ ।
୨୦୨୩ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳୁଥିବା କୋହଲି ଲକ୍ଷ୍ନୌ ସୁପର ଜ୍ୟାଂଟସର ନବୀନ ଉଲ ହକଙ୍କୁ ନିଜ ଜୋତା ଦେଖାଇ କିଛି କହୁଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ବିବାଦ ସେ ସମୟରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ୨୦୨୩ ବିଶ୍ୱକପରେ କୋହଲି ଓ ନବୀନ ଏହି ବିବାଦକୁ ଭୁଲି ପରସ୍ପରକୁ ଆଲିଙ୍ଗନ କରିଥିଲେ ।
୨୦୧୩ ଆଇପିଲରେ କୋଲକାତା ନାଇଟ ରାଇଡର୍ସର ଗୌତମ ଗମ୍ଭୀରଙ୍କ ସହ ସେ ମୁହାଁମୁହିଁ ହୋଇଥିଲେ । କୋହଲି ଆଉଟ ହେବା ପରେ କେକେଆର ଟିମ ଖୁସି ମନାଉଥିଲେ । ସେ ସମୟରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏବେ ଗମ୍ଭୀର ଭାରତୀୟ ଦଳର କୋଚ ଥିବାରୁ ଉଭୟଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଯାଇଛି ।