Latest Odisha News

କେରଳରେ ନିପା ଆତଙ୍କ, ଜଣେ ମୃତ୍ୟୁ

ନୂଆଦିଲ୍ଲୀ: କେରଳରେ ପୁଣି ଆତଙ୍କ ଖେଳାଇଲା ନିପା ଭାଇରସ୍ । କେରଳର ମଲ୍ଲାପୁରମରୁ ଜଣେ ୧୪ ବର୍ଷୀୟ ବାଳକଠାରେ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। କିନ୍ତୁ ପରବର୍ତ୍ତି ମୁହୁର୍ତ୍ତରେ ଉକ୍ତ ବାଳକଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦିନକ ତଳେ ପିଲାଟି ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହାପରେ ମାଲାପୁରମ ଜିଲ୍ଲାର ଏହି ପିଲାଟିର ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୨୦୨୩ ପରେ କେରଳରେ ଏହି ସଂକ୍ରମଣ ମାମଲା ପୁଣି ସାମ୍ନାକୁ ଆସିଥିଲା । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ପିଲାଟି ମେ ୧୨ ରେ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକକୁ ଯାଇଥିଲା । ମେ ୧୫ ରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ପେରିଣ୍ଟାଲମ୍ୟାନାର ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା । ଯେତେବେଳେ ସେ ସେଠାରେ ସୁସ୍ଥ ନହେଲେ, ପିଲାଟିକୁ କୋଜିକୋଡେସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଛି ।

ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ। କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଯେଉଁଠି ଭାଇରସ୍ ଚିହ୍ନଟ ହୋଇଛି, ତାର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କଟକଣ ଲଗାଇବାକୁ ନିଷ୍ପତ୍ତି ହୋଇଛି । ବାଦୁଡ଼ିଙ୍କ ଆବାସ ସ୍ଥଳୀ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିଭଳି ପକ୍ଷୀ ଖଣ୍ଡିଆ କରିଥିବା କୌଣସି ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି ।

Comments are closed.