ଭୁବନେଶ୍ୱର: ଇଣ୍ଡୋନେସିଆର ଏମିତି ଏକ ସମ୍ପ୍ରଦାୟ ବସବାସ କରନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଭାରି ତାଜୁବ୍ ଲାଗେ । ଶବ ସତ୍କାରରକୁ ନେଇ ସେମାନଙ୍କର ବିଚିତ୍ର ପରମ୍ପରା ରହିଛି । ଇଣ୍ଡୋନେସିଆର ବାଲି ଦ୍ବୀପ ଅନ୍ତର୍ଗତ ବାତୁର ହ୍ରଦର ପୂର୍ବ ଉପକୂଳରେ ରହିଛି ତ୍ରୁନ୍ୟାନ୍ ଗାଁ। ପର୍ବତାଞ୍ଚଳ ପରିବେଶରେ ‘ବାଲି ଆଗା’ ସମ୍ପ୍ରଦାୟର ଲୋକମାନେ ସେଠାରେ ବସବାସ କରନ୍ତି। ବାହାର ଦୁନିଆରୁ ଅଲଗା ହୋଇ ରହୁଥିବା ଏହି ଆଦିବାସୀ ସଂପ୍ରଦାୟର ଶବ ସତ୍କାରକୁ ନେଇ ରହିଛି ଏକ ବିଚିତ୍ର ପରମ୍ପରା।
ସେମାନେ ଶବଗୁଡ଼ିକୁ କବର ଦେବା କିମ୍ବା ଦାହ କରିବା ପରିବର୍ତ୍ତେ ଜଙ୍ଗଲ ଭିତରେ ପ୍ରାକୃତିକ ଭାବେ ଅବକ୍ଷୟ ହେବାକୁ ଛାଡ଼ିଦିଅନ୍ତି। କିନ୍ତୁ ଶାଗୁଣା, କାଉ ଓ ଚିଲମାନଙ୍କ ଠାରୁ ଶବକୁ ସୁରକ୍ଷା ଦେବା ପାଇଁ ସେମାନେ ବାଉଁଶ ତାଟି ଦ୍ବାରା ଘୋଡ଼ାଇ ରଖିଥାନ୍ତି । ଦେହରୁ ମାଂସ ଶଢ଼ିଯାଇ ଝଡ଼ିଗଲା ପରେ ଖପୁରି ଓ ଅସ୍ଥିଗୁଡ଼ିକୁ ଉଦ୍ଧାର କରି ସେଗୁଡ଼ିକୁ ପଥର ଚଟାଣ ଉପରେ ରଖାଯାଏ। ମୃତ ଶବରୁ ଉଦ୍ଧାର କରାଯାଇଥିବା ଅସ୍ଥି କଙ୍କାଳକୁ ସାଇତି ରଖିଲେ ପୁନଃ ନୂତନ ଜୀବନ ଫେରିଆସିବା ଆଶାରେ ସେମାନେ ଏପରି କରିଥାନ୍ତି ।
ଏହି ସମ୍ପ୍ରଦାୟର ଶବସତ୍କାର ସ୍ଥଳରେ ରଖାଯାଇଥିବା ଶବରୁ ପଚାଶଢ଼ା ଗନ୍ଧ ବାହାରି ନଥାଏ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହି ରହସ୍ୟମୟ ଘଟଣା ପଛରେ ଏକ କାହାଣୀ ରହିଛି । ନିକଟରେ ରହିଛି ବିଶେଷ ପ୍ରକାର ବଟବୃକ୍ଷ ଯାହାକୁ ସେମାନେ ‘ମେନ୍ୟାନ୍ ତରୁ’ ବା ସୁଗନ୍ଧି ବୃକ୍ଷ ବୋଲି କହିଥାନ୍ତି। ଏହି ଗଛର ସୁବାସ, ଶବର ଦୁର୍ଗନ୍ଧକୁ ଦୂର କରି ଦେଇଥାଏ ବୋଲି କୁହାଯାଏ ।
ସେହି ଗାଁରେ ସେପରି ୩ଟି ଶବସତ୍କାର ସ୍ଥଳ ରହିଛି, ଯେଉଁଠି ସେମାନେ ତାଙ୍କ ରିତିନୀତି ହିସାବରେ ଶବର ସତ୍କାର କରିଥା’ନ୍ତି । କିନ୍ତୁ ଦୁର୍ଘଟଣାରେ ମୃତ ଶିଶୁ ଓ ଆତ୍ମହତ୍ୟା କରିଥିବା ଲୋକଙ୍କ ପାଇଁ ସେଠାରେ ସ୍ଥାନ ମିଳିନଥାଏ। ପ୍ରତି ଶବସତ୍କାର ସ୍ଥଳରେ ଏଗାରଟି ଲେଖାଏଁ ବାଉଁଶ ତାଟି ଓ ତାଳ ବାହୁଙ୍ଗା ଘେରା ଗମ୍ବୁଜ ରହିଥାଏ। ସେଥିରେ ଗୋଟିଏ ଶବ ଶଢ଼ିଲା ପରେ ଅସ୍ଥି ସଂଗ୍ରହ କରାଯାଇ ନୂତନ ଶବକୁ ରଖାଯାଇଥାଏ। ବେଳେ ବେଳେ ଶବ ପାଇଁ ସ୍ଥାନ ନମିଳିଲେ ତାହାକୁ ସେମାନେ ଘରେ ରଖି ଅପେକ୍ଷା କରିଥା’ନ୍ତି ଏବଂ ଶବକୁ ପଚିବାକୁ ନଦେବା ଲାଗି ଏକ ଔଷଧର ବ୍ୟବହାର କରିଥା’ନ୍ତି, ଯାହାକି ଫର୍ମାଲଡିହାଇଡ୍ ବୋଲି ଜଣାପଡ଼ିଛି । ଶବ ସତ୍କାର ସ୍ଥଳରେ ପଚା ଗନ୍ଧ ନ ଆସିବା ପଛରେ ମଧ୍ୟ ଫର୍ମାଲଡିହାଇଡ୍ର ଭୂମିକା ରହିଛି ବୋଲି ଅନୁମାନ କରାଯାଏ।
Comments are closed.