Latest Odisha News

ମା’ଙ୍କ ସଚ୍ଚା ଭକ୍ତ: ହାତରୁ ଟଙ୍କା ଦେଇ ବନ୍ଧକ ଥିବା ଗହଣା ମୁକୁଳାଇଲେ ମୁସଲମାନ ଯୁବକ

କଟକ: ଭକ୍ତି ପାଇଁ କ’ଣ ବା ଲୋଡା ?  କେବଳ ଭାବ ଟିକିଏ, ତ୍ୟାଗ ଟିକିଏ । ଧର୍ମ, ସଂପ୍ରଦାୟର ପରିଚୟ କିମ୍ବା ବିଧିବିଧାନ କ’ଣ କେବେ ଭକ୍ତିର ମାପିକାଠି ହୋଇପାରେ ? ବିଲକୁଲ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ   ଏଠି ଆପଣଙ୍କୁ ଦେବୁ । ଆଉ କେଉଁଠି ନୁହେଁ, ଭାଇଚାରାର ସହର କଟକରେ ଏଭଳିକିଛି ଘଟଣା ଦେଖିବାକୁ ମିଳିଛି ।

ଶାରଦୀୟ ଦୁର୍ଗାପୂଜା କଟକ ସହର ପଡୁଛି ଉଠୁଛି । ଆରମ୍ଭ ହୋଇ ଯାଇଛି ଜୋରଦାର ପ୍ରସ୍ତୁତି ।  ଗେଟ, ମେଢ ସଜାସଜି ପାଇଁ ସାହି ସାହିରେ ଲୋକେ ତତ୍ପର । ହେଲେ କଟକ ସୁତାହାଟ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମୁହଁରେ ହସ ନ ଥିଲା । ସମସ୍ତେ ଥିଲେ ଚିନ୍ତାଗ୍ରସ୍ତ । ସବୁ ସାଜସଜ୍ଜା ଚାଲିଥିଲା । ହେଲେ ନ ଥିଲା ମା’ଙ୍କ ପାଇଁ ଗହଣା । ପୂଜାମଣ୍ଡପରେ ମା’ ପିନ୍ଧିବେ କ’ଣ ? ଏଥିପାଇଁ ତୁରନ୍ତ ଲୋଡା ୪୮ ହଜାର ଟଙ୍କା ।  ପୂଜା ଭିଡ ଭିତରେ ୪୮ ହଜାର ଟଙ୍କା  କେଉଁଠୁ ଆସିବ ? ଏହି ଚିନ୍ତାରେ ସମସ୍ତେ ଥିଲେ ଉଦାସ ।

ପ୍ରକୃତ କଥା ହେଲା, ମା’ଙ୍କ ଗହଣା ସବୁ ରହିଥିଲା ସୁତାହାଟ ପୂଜା ମଣ୍ଡପର ଜଣେ ପୂର୍ବତନ କର୍ମକର୍ତ୍ତାଙ୍କ ନିକଟରେ । ସେ ପୂର୍ବବର୍ଷ ପୂଜାବେଳେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିଥିଲେ । ତେଣୁ ସେ ଟଙ୍କା ବଦଳରେ ମା’ଙ୍କ ଗହଣା ଅଟକାଇ ରଖିଥିଲେ । ୪୮ ହଜାର ଟଙ୍କା ଦେଲେ ଗହଣା ଦେବେ ବୋଲି ଅଡି ବସିଥିଲେ ।

ହେଲେ ଏତେ ଟଙ୍କା ଏତେ କମ ଦିନ ଭିତରେ କେଉଁଠୁ ଆସିବ ?  ସମସ୍ତେ ଚିନ୍ତାରେ ପଡିଥିଲେ । ସେହି ବୈଠକରେ ବସିଥିଲେ ଜଣେ ମୁସଲମାନ ସଂପ୍ରଦାୟର ଲୋକ । ସେ ଆଗେଇ ଆସିଥିଲେ । ନିଜ ପକେଟରୁ ୪୮ ହଜାର ଟଙ୍କା କାଢି ଦେଇଥିଲେ । ସେହି ଟଙ୍କା ଦେଇ ସର୍ତ୍ତ ରଖିଥିବା ପୂର୍ବତନ କର୍ମକର୍ତ୍ତାଙ୍କ ପାଖରୁ ମା’ଙ୍କ ଗହଣା ମୁକୁଳା ହୋଇ ଆସିଥିଲା ।

ଏବେ ପୂଜାରେ ମା’ ଗହଣା ପିନ୍ଧି ବସିବେ । ଏହି ଗହଣାର ମୂଲ୍ୟ ଥିଲା ୧୦ ଲକ୍ଷ ଟଙ୍କା । ଏଥିରେ ଚାନ୍ଦିମୁକୁଟ ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣାଳଙ୍କାର ଥିଲା ।

Comments are closed.