ରାୟଗଡା: ଆଜ୍ଞା ପଇସା ପଠାଇଥିଲି, ମିଳିଲା କି ? ସେ ନାଲା ଆଉ ସଦବ ମାଗି ଆସିଥିଲା । କହିଲା, ଅଫିସର ଆଜ୍ଞାମାନଙ୍କ ସହ ବାଣ୍ଟିକି ଖାଇବୁ । ଟଙ୍କା ଦେ ବୋଲି ମାଗିବାରୁ ଦେଇଛି । ତତେ ମିଳିଲା ନା ନାହିଁ ?’ ଅତି ସରଳ ଭାବେ ପଚାରିଥିଲା ଡଙ୍ଗରିଆ ଝିଅ ଟିମି ପୁଷିକା । ହେଲେ ଏହି ସରଳ ପ୍ରଶ୍ନଟି କରିଥିଲା ବଡ ଦୁର୍ନୀତିର ପର୍ଦ୍ଦାଫାଶ । ସରକାରୀ ସଂସ୍ଥା ଓପେଲିପିରେ ଚାଲିଥିବା ହରିଲୁଟ ଉପରୁ ପରଦା ହଟାଇଥିଲେ ବିରଳ ଜନଜାତି ଡଙ୍ଗରିଆ ମହିଳା ଟିମି ପୁଷିକା ।
ସୁଦୂର ନିୟମଗିରି ପାହାଡରୁ ଆସିଥିବା ଏହି ଟିମି ଏଭଳି ସରଳ ପ୍ରଶ୍ନ ସଭିଙ୍କୁ ଚକିତ କରିଦେଇଥିଲା । ଡ଼ଙ୍ଗରିଆ ବସ୍ତିମାନଙ୍କରେ ବିକାଶ ପାଣ୍ଠି କେତେ ଯେ ହରିଲୁଟ ହେଉଛି ତାହା ସ୍ପଷ୍ଟ ହୋଇଯାଇଛି ।
ନିୟମଗିରି ପାର୍ବତ୍ୟମାଳାରେ ରହୁଥିବା ଆଦିମ ଜନଜାତିଙ୍କ କୃଷିର ବିକାଶ ନାରାଦେଇ ଚାଟିକଣାଠାରେ ଓପିଲିପି ଅଧିନରେ କାର୍ଯ୍ୟ କରୁଥିବା ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତିକରଣ ଓ ଜୀବିକା ଉନତିକରଣ(ଓପିଲିପି) ପ୍ରତାରଣା କରିଛି । ପ୍ରବେଶ ଦ୍ୱାରରେ ଓଡିଶା ସରକାର, ଆଇଫାଡ ଓ ଓପିଲିପିର ବଡବଡ ସୁଚନା ଫଳକ ଲଗାଇ ପାହାଡ ଭିତରେ ନିରୀହ ଆଦିବାସୀଙ୍କ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରାଯାଉଛି ।
ଏହି ବିଭାଗ ମାଧ୍ୟମରେ ଋତୁଭିତ୍ତିକ ଚାଷ ନାମରେ ୨୭ହଜାର ଟଙ୍କା ଆଦିବାସୀଙ୍କୁ ଦେଇ ସେଥିରୁ ୬ହଜାର ୫ଶହ ଟଙ୍କା ବାଟମାରଣା କରି ନିଆଯାଉଛି । ଏ ନେଇ ଅଭିଯୋଗ କରିବା ପାଇଁ ପାହାଡରୁ ଓଲ୍ହାଇ ଆସିଥିବା ଡଙ୍ଗରିଆ ମହିଳା ଟିମି ପୁଷିକା ପହଞ୍ଚିଛି ଜିଲ୍ଲାପାଳଙ୍କ କାର୍ଜ୍ୟାଳୟରେ । ତାଙ୍କର ଅଭିଯୋଗ ପରେ ଏହାର ପର୍ଦ୍ଦାଫାସ ହୋଇଛି ।
ବିଷମକଟକ ବ୍ଲକର ଚାଞ୍ଚଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡ ପାଦଦେଶରେ ବାଲାପାଇ ଗାଁ । ବ୍ୟବସାୟ କରିବା ପାଇଁ ଗ୍ରାମର ଟିମି ପୁଷିକାଙ୍କୁ ୨୭ ହଜାର ଟଙ୍କା ଦିଆଯାଇଥିଲା । ଏହି ଟଙ୍କା ଟିମିଙ୍କ ଜମା ଖାତାକୁ ଆସିବା ପରେ ବାବୁମାନେ ଟିମିଙ୍କ ଘର ଦାଣ୍ଡରେ ଆସି ପହଞ୍ଚିଥିଲେ । ଆଉ ଓଜନ କରିବା ପାଇଁ ଡିଜିଟାଲ ନିକିତି ଯାହାର ଦାମ ୭ହଜାର ୯ଶହ ଟଙ୍କା, ସେହିପରି ୫ହଜାର ୫ଶହ ଟଙ୍କା ମୂଲ୍ୟର ଗେଟିଏ ସାଇକେଲ ଏବଂ ୮ଶହ ଟଙ୍କା ଦେଇ ଦୁଇଟି ଚୌକି କିଣିଦେଇଥିଲ ।
ପରେ ଆସି ତା ଜମା ଖାତରେ ଥିବା ଟଙ୍କାରୁ ୬୫୦୦ ଟଙ୍କା ମାଗି ନେଇଯାଇଥିବା ଟିମି ପୁଷିକା ଅଧିକାରୀଙ୍କ ଆଗରେ ଅଭିଯୋଗ କରିଛନ୍ତି । ଅଧିକାରୀଙ୍କ ଆଗରେ ରମେଶ ନାଲା, ସହଦେବ ଭଳି କିଛି ବ୍ୟକ୍ତିବିଶେଷଙ୍କ ନାମ ଟିମିଙ୍କ ମୁହଁରୁ ବାରମ୍ବାର କହୁଥିବା ଶୁଣିବାକୁ ମିଳିଥିଲା । ଅଫିସରମାନେ ସବୁ ଏ ଟଙ୍କା ନେବେ ବୋଲି ରମେଶ ଓ ସହଦେବ ତାକୁ ଭିଡିଓ କଲ ମାଧ୍ୟମରେ କହିଥିଲେ ବୋଲି ସେ କହିଥିଲା । ତା ପାଖରେ ମୂଳଧନ ନାହିନ ବୋଲି ସେ କହିଥିଲା । ଆଉ ସେଥିପାଇଁ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜୋର କରି ପଚାରିଥିଲା, “ଆଜ୍ଞା ପଇସା ପଠେଇଥିଲି । ତତେ ମଳିଲାକି ?”
ସେହିପରି ଗ୍ରାମର ଶିଶୁମାନଙ୍କ ଖାଇବା ପାଇଁ ମଜୁରି ବାବଦରେ ରନ୍ଧା ଟଙ୍କା ମଧ୍ୟ ଗତ ୧୪ ମାସ ଧରି ମିଳିନଥିବା ସେ ଅଭିଯୋଗ କରିଛନ୍ତି । ବାଲାପାଇ ଗାଁର ଶିଶୁଙ୍କ ପୁଷ୍ଟି ସାଧନ ନିମନ୍ତେ ରୋଷେଇ କରି ଯୋଗାଇବା ପାଇଁ ଟିମିକୁ ପ୍ରକଳ୍ପ ତରଫରୁ ନିୟୋଜିତ କରାଯାଇଛି । ମାସିକ ୩ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ଟଙ୍କାଟିଏ ବି ମଜୁରି ମିଳିନାହିଁ । ଓପେଲିପ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ସେମାନେ ନଶୁଣିବାରୁ ଅଭିଯୋଗ କରିବା ପାଇଁ ନିଜ ଭାଇକୁ ସାଥିରେ ଧରି ଜଙ୍ଗଲ ପାହାଡ ଛାଡି ସହରକୁ ଆସିଥିବା ସେ କହିଛି ।
ନିୟମଗିରି ପାହାଡରେ ଡିକେଡିଏ ଦ୍ଵାରା ୧୧କୋଟି ୧୧ଲକ୍ଷ ଟଙ୍କା କେବଳ ୨୦୨୨-୨୦୨୩ ବର୍ଷ ପାଇଁ ପ୍ରକଳ୍ପ ଅଟକଳ କରି ଖର୍ଚ୍ଚ କରାଯାଇଛି । ଏହି ଅର୍ଥକୁ ଠିକ ଭାବରେ ବିନିଯୋଗ କରିବା ପାଇଁ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ, ପ୍ରକଳ୍ପ ପରିଚାଳକଙ୍କ ସମେତ ୧୨ଜଣ କର୍ମଚାରୀ ନିୟୋଜିତ କରିଛନ୍ତି । ଏହାର ସଫଳ ରୁପାୟନ ପାଇଁ ଆକସୁସ ନାମକ ଏକ ବେସରକାରୀ ଅନୁଷ୍ଠାନର ସହାୟତା ନିଆଯାଇଛି । ସେମାନେ ମଧ୍ୟ ୩୦ରୁ ଅଧିକା କର୍ମଚାରୀ ନିୟୋଜନ କରିଛନ୍ତି ।
ତେବେ ବାଡ ଯଦି ଫସଲ ଖାଇଯିବ, ତେବେ ଗୁହାରି କରିବା କାହାକୁ ? ଟିମି ପୁଷିକାର ଅଭିଯୋଗ ପରେ ଏହା ଏକ ବଡ ପ୍ରଶ୍ନ ହୋଇ ଠିଆହୋଇଛି । ଡଙ୍ଗରିଆ ଝିଅଟିର ବିକଳ ସ୍ୱର ଶୁଣିବା ପରେ ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ଭାର ଦିଆଯିବ ବୋଲି କହିଛନ୍ତି । ସମ୍ପୃକ୍ତ ଝିଅର ଘରକୁ ଯାଇ ସମସ୍ତ ବିଷୟ ତଦନ୍ତ କରି ଆସିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
Comments are closed.