ନୂଆଦିଲ୍ଲୀ: କାହା ବଳରେ ବଳିୟାନ୍ ହୋଇ ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି ବାଂଲାଦେଶ?
ପଛରେ ଅଛି ଚୀନ-ପାକିସ୍ତାନ ହାତ?
ଭାରତ ସହିତ ଶତ୍ରୁତା ମହଙ୍ଗା ପଡିପାରେ?
ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତ ବାତିଲ ହେବା ପରେ ଦୁଇ ଦେଶର ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଅଗଷ୍ଟ ୨୩ରୁ ୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତି ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ୍ କରିଛନ୍ତି ବାଂଲାଦେଶ ସରକାର । ଯାହାକୁ ନେଇ ପ୍ରଶ୍ନ ଉଠିଛି, ଏହା କେବଳ କୂଟନୈତିକ ଅସହମତି ନା ଢାକାର ବଦଳୁଥିବା ବୈଦେଶିକ ନୀତିର ସଙ୍କେତ?
ତାରିକ ରହମାନଙ୍କୁ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଥିଲା। କିନ୍ତୁ ଏହାର ଔପଚାରିକ ଜବାବ ନଦେଇ ବାଂଲାଦେଶ ପକ୍ଷରୁ ଗଣମାଧ୍ୟମ ଜରିଆରେ ଭାରତ ଉପରେ ‘ଉପଯୁକ୍ତ ପରିବେଶ’ ସୃଷ୍ଟି କରିବାର ଚାପ ଦିଆଯାଇଥିବା ଅଭିଯୋଗ ଉଠିଛି। ତେବେ ଢାକା କାହିଁକି ପଛକୁ ହଟିଲା? ଏହା ପଛରେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ। ନିର୍ବାସନ ପରେ ଭାରତରେ ରହୁଛନ୍ତି ହସିନା । ଢାକା ଚାହୁଁଛି ଭାରତ ହସିନାଙ୍କୁ ଫେରାଇ ଦେଉ। ଭାରତ କହିଛି, ଏହି ମାମଲା ଆଇନ ଓ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଦେଖାଯାଉଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଟଣାଓଟରା ଜାରି ରହିଛି।
ତଥାପି ଏହି କାହାଣୀରେ ଆଉ ଏକ ଭିତିରି ଦିଗ ରହିଛି । ପାକିସ୍ତାନ ସହ ବଢୁଥିବା ଢାକାର ନିକଟତା। ଅଗଷ୍ଟ ୧୫ରେ ବାଂଲାଦେଶର ସାମରିକ ଗୁଇନ୍ଦା ସଂସ୍ଥା DGFIର ଏକ ୬ ଜଣିଆ ପ୍ରତିନିଧିମଣ୍ଡଳ ପାକିସ୍ତାନ ଗସ୍ତ କରିଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ସମୟରେ ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ବଢ଼ିବା ଦକ୍ଷିଣ ଏସିଆର ନୂଆ ସମୀକରଣକୁ ନେଇ ଚର୍ଚ୍ଚା ବଢ଼ାଇଛି। ତେବେ କ’ଣ ବାଂଲାଦେଶ ପାକିସ୍ତାନ କଥାରେ ପଡ଼ି ଭାରତ ସହ ପଙ୍ଗା ନେବାକୁ ଯାଉଛି? ୧୯୭୧ରେ ଯେଉଁ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ଜନ୍ମ ନେଇଥିଲା, ସେହି ଇସଲାମାବାଦ ସହ ନିକଟତା ବଢ଼ୁଥିବା ବେଳେ ଭାରତ ସହ ଦୂରତା ବଢ଼ିବା ଏକ ନୂଆ ରଣନୀତିର ସଙ୍କେତ କି? ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅନ୍ୟପଟେ ଚୀନ୍ ସହ ବାଂଲାଦେଶର ବଢୁଥିବା ଘନିଷ୍ଠତା ମଧ୍ୟ ଭାରତର ଚିନ୍ତା ବଢ଼ାଇଛି। ତିସ୍ତା ଜଳ ପ୍ରକଳ୍ପରେ ଚୀନ୍ର ଭୂମିକା ଏବଂ ଚୀନ୍ ସହ ନୂଆ ଯୋଗାଯୋଗ ମାର୍ଗ ନେଇ ଢାକାର ଆଗ୍ରହକୁ ନେଇ ପ୍ରଶ୍ନ ଉଠୁଛି।
ଆଉ ଯଦି ବାସ୍ତବରେ ଯଦି ଏପରି ହୁଏ, ତେବେ ଭାରତ ସହିତ ଦୂରତା ବାଂଲାଦେଶକୁ ମହଙ୍ଗା ପଡିବାରେ । କାରଣ ବାଂଲାଦେଶର ବିଦ୍ୟୁତ, ବାଣିଜ୍ୟ, ଯୋଗାଯୋଗ, ସୀମା ପରିଚାଳନା ଓ ଜଳସମ୍ପଦ ଭଳି ଅନେକ କ୍ଷେତ୍ରରେ ଭାରତର ଭୂମିକା ଅତ୍ୟନ୍ତ ବଡ଼। ବାଂଲାଦେଶ ପ୍ରତିଦିନର ବିଦ୍ୟୁତ ଆବଶ୍ୟକତା ପୂରଣରେ ଭାରତଠାରୁ ହିଁ ପ୍ରାୟ ୨୫୦୦ ମେଗାୱାଟ୍ ବିଦ୍ୟୁତ ପାଉଛି। ଦେଶରେ ବିଦ୍ୟୁତ ସଙ୍କଟ ଓ ଲୋଡ୍ଶେଡିଂ ବଢ଼ୁଥିବା ବେଳେ ଭାରତ ସହ ଏହି ସହଯୋଗ ବାଂଲାଦେଶ ପାଇଁ ଅତ୍ୟନ୍ତ ଜରୁରୀ। ତେଣୁ ପାକିସ୍ତାନ କିମ୍ବା ଚୀନ୍ ଆଡ଼କୁ ଅଧିକ ଢଳିବା ଭାରତ ସହ ଦୂରତା ବଢ଼ାଇବା ଢାକା ପାଇଁ ମହଙ୍ଗା ସାବସ୍ତ୍ୟ ହୋଇପାରେ ।

