Latest Odisha News

BREAKING NEWS

ବଙ୍ଗୋପସାଗରରେ ଦାନାବାନ୍ଧୁଛି ବାତ୍ୟା, ଓଡ଼ିଶାମୁହାଁ ହେବା ନେଇ ଆକଳନ

ଭୁବନେଶ୍ୱର: ଶହେରୁ ୧୨୦ କିମି ବେଗରେ ବହିପାରେ ପବନ। ତା ସାଙ୍ଗକୁ ପ୍ରବଳ ବର୍ଷା। ମେ ମାସରେ ପୁଣିଥରେ ଓଡ଼ିଶାକୁ ବାତ୍ୟା ହେବା ନେଇ ଆକଳନ କରାଯାଇଛି। ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ସହ ଅଧିକ ସକ୍ରିୟ ହେବ। ତୃତୀୟ ପର୍ଯ୍ୟାୟ ଭୋଟ ଦିନ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ। ୨୫ ତାରିଖ ସନ୍ଧ୍ୟା ୮ଟାରୁ ୯ଟା ଭିତରେ ପାରାଦୀପରୁ ବାଲେଶ୍ୱର ମଧ୍ୟରେ ସ୍ଥଳ ଭାଗରେ ପ୍ରବେଶ କରିବ। ଏପରି ପୂର୍ବାନୁମାନ କଲେଣି ଏକାଧିକ ପାଣିପାଗ ମଡେଲ।

ବଙ୍ଗୋପ ସାଗରରେ ସୃ‌ଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଏହି ଲଘୁଚାପ ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ‌ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟାର ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଅଧିକାଂଶ ମଡେଲ୍‌ ଏହି ଗଭୀର ଅବପାତ/ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ମୁହାଁ ହେବା ନେଇ ଆକଳନ କରିଛନ୍ତି। ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ, ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

୨୧ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପନେବ। ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ ବୋଲି ଆକଳନ କରାଯାଇଛି। ତେବେ ଜିଏଫଏସ ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ଏବଂ ୩୬ ଘଣ୍ଟା ପରେ ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁ ହୋଇପାରେ।

Comments are closed.