ରାଜସ୍ଥାନ: ଅନେକ ପ୍ରକାରର ସ୍ମାରକୀ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣଙ୍କୁ ଏପରି ସ୍ମାରକୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଦେଖିବା ତ ଦୂରର କଥା ଶୁଣି ମଧ୍ୟ ନ ଥିବେ । ଏହି ସ୍ମାରକୀ ଏକ କୁକୁରର ଅଟେ । ରାଜସ୍ଥାନର ଜାଲୋର ପାରାଟିଲୋଡା-ଦାଦଲ ରାସ୍ତାରେ ଏକ କୁକୁରର ସ୍ମାରକୀ ନିର୍ମାଣ କରାଯାଇଛି । ତେବେ କେଉଁ ସ୍ଥିତିରେ କୁକୁରର ଏଭଳି ସ୍ମାରକୀ ନିର୍ମାଣ କରାଯାଇଛି, ତାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଦିନ ଥିଲା, ତିଲୋଡାର ଭାଚାଲଡାଇ ଅଞ୍ଚଳ ଏକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ବହୁ ଜଙ୍ଗଲୀ ପ୍ରାଣୀ ଏହି ଅଞ୍ଚଳରେ ବୁଲୁଥିଲେ । ଏମିତି କି ଏହି ବନ୍ୟଜନ୍ତୁମାନଙ୍କ ମଧ୍ୟରୁ ଏପରି ଅନେକ ପଶୁ ଥିଲେ, ଯାହାକୁ ଲୋକମାନେ ଶିକାର ବି କରୁଥିଲେ । ଏଠାରେ ବହୁ ବଣୁଆ ଘୁଷୁରୀ ଥିଲେ । ନିକଟବର୍ତ୍ତୀ ଅଞ୍ଚଳ ତଥା ପଡୋଶୀ ଜିଲ୍ଲାଗୁଡ଼ିକରୁ ଶୀକାରିମାନେ ଆସି ସେମାନଙ୍କୁ ଶିକାର କରୁଥିଲେ ।
ସେହିଭଳି ପଡୋଶୀ ଜିଲ୍ଲା ବାରମର ଭାଖରପୁର ଗାଁର କିଛି ଶିକାରୀ ମଧ୍ୟ କୁକୁରମାନଙ୍କ ସହିତ ଶିକାର କରିବାକୁ ସେଠାକୁ ଆସିଥିଲେ । ଶିକାର ସମୟରେ ଘୁଷୁରିମାନଙ୍କ ଆକ୍ରମଣରେ ଗୋଟେ କୁକୁର ଆହତ ହୋଇଥିଲା । କିଛି ଦିନ ପରେ ସେହି କୁକୁରର ମୃତ୍ୟୁ ହେଲା । ପରେ, ବହୁ ବର୍ଷ ଧରି ଭାଖରପୁର ବଦମର୍ ଗାଁର ଏହି ଶିକାରୀମାନେ ଶାରୀରିକ, ମାନସିକ ଏବଂ ଅର୍ଥନୈତିକ ସମସ୍ୟା ସହ ସମ୍ମୁଖୀନ ହେଲେ ।
ପରେ ଶିକାରୀ ପରିବାର ଏକ ତାନ୍ତ୍ରିକଙ୍କୁ ଭେଟିଥିଲେ । ମୃତ କୁକୁର ପାଇଁ ଏକ ସ୍ମାରକୀ ତିଆରି କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଜୀବନରେ ସୁଖ ଏବଂ ଶାନ୍ତି ଆସିବ ବୋଲି ତାନ୍ତ୍ରିକ କହିଲେ । ତାନ୍ତ୍ରିକ ତାଙ୍କର ତଥାକଥିତ ତନ୍ତ୍ର ଆଧାରରେ ମୃତ କୁକୁରର ସ୍ମାରକୀ ପାଇଁ ସ୍ଥାନ ଚିହ୍ନଟ କଲେ । ପରେ ଶିକାରୀଙ୍କ ପରିବାର ପକ୍ଷରୁ କୁକୁର ପାଇଁ ଏକ ସ୍ମାରକ ନିର୍ମାଣ କରାଗଲା । ପରେ ସେମାନଙ୍କ ଘରେ ସମସ୍ୟା ଦୂର ହୋଇଗଲା ବୋଲି ସେମାନେ କୁହନ୍ତି । ଏହି ସ୍ମାରକୀରେ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।
ଏହି ସ୍ମାରକୀଟିି ଜାଲୋର-ବାଗୋଡା ମୁଖ୍ୟ ରାସ୍ତା କଡ଼ରେ ରହିଛି । ଶିକାରୀ ପରିବାର ସଦସ୍ୟମାନେ ପ୍ରତିବର୍ଷ କୁକୁରର ନିଧନ ଦିବସରେ ସ୍ମାରକୀରେ ପୁଷ୍ପାମାଲ୍ୟ ଅର୍ପଣ କରିଥାନ୍ତି ।
Comments are closed.