Latest Odisha News

BREAKING NEWS

ଏଥର ୩୦୦ ପାର୍‌, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍‌ !

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲ ଭିତରେ ‘ଅବ୍ କି ବାର୍ ୪୦୦ ପାର୍‌’ ନାରା ତ ଶୁଣିଥିବେ । ହେଲେ ଏବେ କ୍ରିକେଟ୍ ମଇଦାନରେ ବି କିଛି ଏଭଳି ଶୁଣିବାକୁ ମିଳିଲାଣି । କ୍ରିକେଟ୍‌ରେ ଏବେ ଟ୍ରେଣ୍ଡ କରୁଛି ‘ଅବ୍ କି ବାର୍ ୩୦୦ ପାର୍‌’ । ତେବେ ଏହି ୩୦୦ ପାର୍ ନାରା କ’ଣ? ୩୦୦ ପାର୍ ମାନେ ୩୦୦ ରନ୍ । କ୍ରିକେଟ୍‌ରେ ତ ୩୦୦ ରନ୍ କରିବା କିଛି ବଡ଼ କଥା ନୁହେଁ । ଟେଷ୍ଟ ହେଉ କି ଦିନିକିଆରେ ଏବେ ୩୦୦ ରନ୍ କରିବା ସହ ସହଜ ହୋଇଗଲାଣି । କିନ୍ତୁ ଟି-୨୦ ଫର୍ମାଟ୍‌ରେ କେବେ ୩୦୦ ରନ୍ ହେବା କଥା ଭାବିଛନ୍ତି କି? ଖୁବ୍‌ଶୀଘ୍ର ଟି-୨୦ କ୍ରିକେଟ୍‌ରେ ୩୦୦ ରନ୍ ହେବାକୁ ଯାଉଛି ।

ଆମେ କହୁଛୁ ଭାରତରେ ଚାଲିଥିବା ଆଇପିଏଲ୍ କଥା । ଯେପରି ବ୍ୟାଟରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଆଇପିଏଲ୍ ପ୍ଲାଟଫର୍ମ । ଠିକ୍ ସେହିପରି ବୋଲରଙ୍କ ପାଇଁ ବଡ଼ ଦୁଃସ୍ୱପ୍ନ । ଲାଗୁଛି ଯେପରି ବୋଲରଙ୍କ ପାଇଁ ଟିକିଏ ବି ଦୟା ନାହିଁ ବ୍ୟାଟରଙ୍କ ମନରେ । ମନ ଇଚ୍ଛା ଧୁଲେଇ କରୁଛନ୍ତି । ଆଉ ବୋର୍ଡରେ ଲାଗୁଛି ବଡ଼ ବଡ଼ ସ୍କୋର । ବ୍ୟାଟର ବର୍ତ୍ତମାନ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଲାଗୁଛି ଟି-୨୦ ଫର୍ମାଟ୍‌ରେ ୨୫୦ ରନ୍ ସାଧାରଣ କଥା ହୋଇଗଲାଣି । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୮୭ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଠିକ୍ ସେହିପରି ମୁମ୍ବାଇ ଇଣ୍ଡିଆ ବିପକ୍ଷରେ ୨୭୭ ରନ୍ କରିଥିଲା ହାଇଦ୍ରାବାଦ । ଯଦି ଏମିତି ସ୍କୋର ଆଇପିଏଲରେ ହେବ, ତାହେଲେ ଶୁବଶୀଘ୍ର ୩୦୦ ରନ୍ ହେବା ଆଉ ବେଶୀ ଦୂର ନୁହେଁ ।

ଦିନ ଥିଲା, କ୍ରିକେଟ୍ ମ୍ୟାଚ୍‌ରେ ବୋଲରଙ୍କୁ ମିଳୁଥିଲା ସମ୍ମାନ । ଦିନିକିଆରେ ୨୫୦ ରନ୍ ହେଲେ, ପ୍ରତିପକ୍ଷ ଟିମ୍ ପକ୍ଷେ ରନ୍ ପିଛା କରିବା କାଠିକର ପାଠ ହୋଇଯାଉଥିଲା । କିନ୍ତୁ ଏବେ ସବୁ ବଦଳିଯାଇଛି । ବର୍ତ୍ତମାନ ଚାଲିଛି ବ୍ୟାଟରଙ୍କ ରାଜୁତି । ଯଦିଓ କ୍ରିକେଟ୍ ମ୍ୟାଚ୍‌ରେ ବଡ଼ ବଡ଼ ସ୍କୋର ହେବା, ଦର୍ଶକଙ୍କୁ ପସନ୍ଦ ଆସୁଥିବ । କିନ୍ତୁ ବଡ଼ କଥା ହେଉଛି, ଏହା ଦ୍ୱାରା କ୍ରିକେଟ୍‌ର ମାନ ହ୍ରାସ ପାଉଛି । କ୍ରିକେଟ୍ ମ୍ୟାଚରେ ଉଭୟ ବୋଲର ଓ ବ୍ୟାଟରଙ୍କୁ ସୁହାଉଥିବା ପିଚ୍ ପ୍ରସ୍ତୁତ କରିବା ଦରକାର । ନଚେତ୍ ସେଦିନ ବେଶୀ ଦୂର ନୁହେଁ, ଯେତେବେଳେ ୧୦ ଓଭର ଫର୍ମାଟ୍‌ରେ ୨୦୦ ରନ୍ ବି କମ୍ ପଡ଼ିଯିବ ।

Leave A Reply

Your email address will not be published.