Latest Odisha News

BREAKING NEWS

Aadhaar To Get Makeover: ଆଧାର କାର୍ଡର ନୂଆ ରୂପ;ଜାଣନ୍ତୁ କ’ଣ ବଦଳିବ ?

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଖବର। ଏଣିକି ଆପଣଙ୍କ ଆଧାର କାର୍ଡ ପୂରା ବଦଳିଯିବ। କାର୍ଡରେ ଆଉ ଦେଖାଯିବ ନାହିଁ ଆପଣଙ୍କ ଘର ଠିକଣା କିମ୍ବା ଜନ୍ମ ତାରିଖ। କେବଳ ଫଟୋ ଏବଂ QR କୋଡ୍‌ରେ ସରିବ ସବୁ କାମ ।

ଆଧାର କାର୍ଡର ବ୍ୟବହାରକୁ ଅଧିକ ସୁରକ୍ଷିତ କରିବା ପାଇଁ UIDAI ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଖୁବ୍ ଶୀଘ୍ର ବଜାରକୁ ଆସିବ ‘ନୂଆ ଡିଜାଇନ୍‌’ର ଆଧାର କାର୍ଡ। ଏହି କାର୍ଡରେ ଆଉ ଆପଣଙ୍କର ସମ୍ବେଦନଶୀଳ ତଥ୍ୟ ଯେମିତିକି– ଆଧାର ନମ୍ବର, ପୂରା ନାମ, ଠିକଣା କିମ୍ବା ଜନ୍ମ ତାରିଖ ପ୍ରିଣ୍ଟ ହେବ ନାହିଁ। କାର୍ଡ ଉପରେ ରହିବ କେବଳ ଆପଣଙ୍କ ଫଟୋ ଏବଂ ଏକ QR Code। UIDAI ର ସିଇଓ ଭୁବନେଶ କୁମାରଙ୍କ ସୂଚନା ଅନୁଯାୟୀ, ଅନେକ ସମୟରେ ଆଧାର କାର୍ଡର ଫଟୋକପି ବା ଜେରକ୍ସ ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଭୟ ରହୁଛି। ଏହି ଡାଟା ଲିକ୍‌କୁ ରୋକିବା ପାଇଁ ଏହି ନୂଆ ବ୍ୟବସ୍ଥା କରାଯାଇଛି।

ତେବେ ପ୍ରଶ୍ନ ଉଠୁଛି, ଯଦି ତଥ୍ୟ ରହିବ ନାହିଁ ତେବେ ଭେରିଫିକେସନ୍ କେମିତି ହେବ? ଉତ୍ତର ହେଉଛି– QR Code। ବ୍ୟାଙ୍କ କାମ ହେଉ, ନୂଆ ସିମ୍ କାର୍ଡ ନେବା ହେଉ କିମ୍ବା ସରକାରୀ ଯୋଜନା, ସବୁଠି କେବଳ QR କୋଡ୍ ସ୍କାନ କରି ଭେରିଫିକେସନ୍ କରାଯାଇପାରିବ। ଫଳରେ ଜେରକ୍ସ କପିରୁ ଆଉ କେହି ଆପଣଙ୍କ ତଥ୍ୟ ଚୋରି କରିପାରିବେ ନାହିଁ।
ଏହା ସହିତ UIDAI ଏକ ନୂଆ Aadhar App ମଧ୍ୟ ଲଞ୍ଚ କରିଛି। ଏହି ଆପ୍ ଜରିଆରେ ଆପଣ ନିଜର ମୋବାଇଲ୍ ନମ୍ବର ଓ ଠିକଣା ନିଜେ ଅପଡେଟ୍ କରିପାରିବେ। ସବୁଠାରୁ ବଡ଼ କଥା ହେଉଛି, ଆପଣ ନିଜର ବାୟୋମେଟ୍ରିକ୍‌କୁ ‘ଲକ୍’ ଏବଂ ‘ଅନଲକ୍’ କରିବାର ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇପାରିବେ।

ସାଧାରଣ ନାଗରିକଙ୍କ ପ୍ରାଇଭେସି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଛି UIDAI। ଖୁବ୍ ଶୀଘ୍ର ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ତେଣୁ ଆଗକୁ ଆପଣଙ୍କ ପକେଟରେ ଥିବା ଆଧାର କାର୍ଡ ଏକ ନୂଆ ଏବଂ ସୁରକ୍ଷିତ ଅବତାରରେ ନଜର ଆସିବ।

Comments are closed.