ଭୁବନେଶ୍ୱର: ଡାକ୍ତରଖାନା ପରିସର ଭିତରେ ଏବଂ ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାରରେ ବି ଖୋଲିବ । ସହରର ପ୍ରମୁଖ ସ୍ଥାନରେ ଗରିବ ଲୋକଙ୍କୁ ୫ ଟଙ୍କାରେ ମିଲ ଦେଉଥିବା ଆହାର କେନ୍ଦ୍ର ରବିବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆହାର କେନ୍ଦ୍ର ସୋସାଇଟିର ସଭାପତି ତଥା ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନର ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି ।
ଦୂରଦୂରାନ୍ତରୁ ଆସି ଡାକ୍ତରଖାନାରେ ପଡିଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ୫ ଟଙ୍କାରେ ମିଲ ପାଉଥିବାରୁ ବିଶେଷ ଉପକୃତ ହେଉଥିଲେ । ହେଲେ ରବିବାର ଆହାର କେନ୍ଦ୍ର ଖୋଲୁ ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ରବିବାର ଦିନ ଏହାକୁ ଖୋଲିବା ପାଇଁ ବିିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୬୭ ଆହାର କେନ୍ଦ୍ର ଖୋଲା ଯାଇଛି । ଏଥିମଧ୍ୟରୁ ୮୨ଟି କେନ୍ଦୟ ଡାକ୍ତରଖାନା କ୍ୟାମ୍ପସ ପରିସରରେ ରହିଛି । ଏଥିରୁ ୫୮ଟି ଆହାର କେନ୍ଦ୍ରରେ ରାତ୍ରି ଭୋଜନ ମଧ୍ୟ ମିଳିଥାଏ । ଡାକ୍ତରଖାନା ପରିସରରେ ଖୋଲିଥିବା ୮୨ଟି କେନ୍ଦ୍ରରେ ଶସ୍ତାରେ ମିଲ ପାଇ ପ୍ରାୟ ୪୮ ହଜାର ଲୋକ ଉପକୃତ ହେଉଥିଲେ । ଅନ୍ୟପକ୍ଷେ ରବିବାର ଦିନ ଏହି କେନ୍ଦ୍ର ବନ୍ଦ ହେଉଥିବାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଏହାକୁ ବିଚାରକୁ ନେଇ ଡାକ୍ତରଖାନା ପରିସରରେ ତଥା ନିକଟରେ ଥିବା ଆହାର କେନ୍ଦ୍ରକୁ ରବିବାର ଖୋଲିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଂପୃକ୍ତ ବିଭାଗକୁ ଅନୁରୋଧ କରାଯାଇଥିଲା । ତେଣୁ ସାରା ରାଜ୍ୟରେ ଡାକ୍ତରଖାନା ପରିସର ଓ ନିକଟରେ ଥିବା ଆହାର କେନ୍ଦ୍ର ରବିବାର ଖୋଲିବ ବୋଲି ନିଷ୍ପତ୍ତି ନିଆ ଯାଇଛି ।
Comments are closed.