ରାଉରକେଲା: ହେବ କି ରାଉରକେଲା ବିମାନବନ୍ଦର ର ନବକଳେବର ! ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ନୂଆ ଆଶା ସଞ୍ଚାର ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ୬ ଜଣିଆ ପ୍ରତିନିଧି ଦଳ ଆଜି ରାଉରକେଲାରେ ପହଞ୍ଚିଛନ୍ତି।
ଏହି ଦଳରେ ରହିଛନ୍ତି ଡିଜିଏମ୍(ସିଭିଲ୍) ଭି.ଆର.ଟପ୍ପୋ, ଡିଜିଏମ୍(ସିଏନ୍ଏସ୍) କେ.କେ.ବିନ୍ଧାଣୀ, ଡିଜିଏମ୍(ଏଟିଏମ୍-ଏଫ୍ପିଡି) ପ୍ରବୀଣ ଉନ୍ନୀକ୍ରିଷ୍ଣନ, ବରିଷ୍ଠ ମ୍ୟାନେଜର ଅବଦୁଲ ଅଜିଜ୍, ମ୍ୟାନେଜର ଅଜୟ କୁମାର ଓ ସହକାରୀ ମ୍ୟାନେଜର ମେଘା ରୋହିଲ୍ଲା ସାମିଲ ଅଛନ୍ତି। ରନ୍ୱେ ବୃଦ୍ଧି ପାଇଁ ଆବଶ୍ୟକ ଜମି, ବିମାନବନ୍ଦର ଜମିର ମାଲିକାନାସତ୍ତ୍ବ ହସ୍ତାନ୍ତର ପ୍ରକ୍ରିୟା, ୪ସି ଲାଇସେନ୍ସ, ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲ୍ଏସ୍), ରାତ୍ରିକାଳୀନ ବିମାନ ଅବତରଣ, ସୋଲାର ପ୍ୟାନେଲ ସ୍ଥାପନ, ୨୫୦ ସିଟ୍ ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ, କନ୍ଭେନ୍ସନାଲ ହଲ୍ ନିର୍ମାଣ, କ୍ୟାଫେଟେରିଆ ଲାଉଞ୍ଜ ଆଦି ଭିତ୍ତିଭୂମି ବିକାଶ ପାଇଁ ଜମି ତଥା ଅନ୍ୟାନ୍ୟ ସୁବିଧାସୁଯୋଗ ପରଖିବେ।
ସୂଚନାଥାଉକି, ବିମାନବନ୍ଦରର ବିକାଶ ପାଇଁ ଫେବୃଆରୀ ୧୫ରେ ରାଜ୍ୟ ସରକାର ଏଏଆଇ ଅଧ୍ୟକ୍ଷ ବିପିନ କୁମାରଙ୍କୁ ପତ୍ର ଲେଖିଥିଲେ। ଏଏଆଇ ପକ୍ଷରୁ ଓଏଲ୍ଏସ୍ ସର୍ଭେ କରି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ନିବେଦନ କରାଯାଇଥିଲା । ଏଥିସହ ଏ ବାବଦକୁ ହେବାକୁଥିବା ସମସ୍ତ ବ୍ୟୟ ଓଡ଼ିଶା ସରକାର ବହନ କରିବେ ବୋଲି ପତ୍ରରେ ଉଲ୍ଲେଖ କରିଥିଲେ। ଏହାପରେ ଫେବ୍ରୁଆରି ୨୧ ତାରିଖରେ ଏଏଆଇ ପକ୍ଷରୁ ସର୍ଭେ ପାଇଁ ଆବଶ୍ୟକ ଅର୍ଥ ଡିପୋଜିଟ୍ କରିବା ବିଷୟରେ ପତ୍ର ମାଧ୍ୟମରେ ଜଣାଇଥିଲେ । ତେବେ ନିୟମାନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୬ ତାରିଖରେ ୪୦ ଲକ୍ଷ ୫୨ ହଜାର ୯୪୬ ଟଙ୍କା ପୈଠ କରାଯାଇଥିଲା।