ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ। ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି ଧରାଯାଇଛି ।
ଏହି ଦିନ ବଂଶର ପ୍ରଥମ ଜାତ ସନ୍ତାନ ବା ଜ୍ୟେଷ୍ଠ ପିଲାଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ। ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ପରେ ପଞ୍ଚପଲ୍ଲବ, ପଞ୍ଚ ଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ବ। ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ। ହଳଦୀ ପତ୍ରର ମହମହ ବାସ୍ନାରେ ପିଠାରେ ସୁଆଦ ଅଧିକ ରୁଚିକର ଲାଗେ।
ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସକାଳୁ ସକାଳୁ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ପୂଜା କରାଯାଏ। ତା’ର ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେମାନଙ୍କୁ ବନ୍ଦାପନା କରାଯାଏ।
ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ ।ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I
Comments are closed.