Latest Odisha News

BREAKING NEWS

Rahul Gandhi To Press: ‘ଆପଣ ବିଜେପିର କି?’ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାହୁଲ…ମୁହଁ ଫେରାଇ ଚାଲିଗଲେ….

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିଲ୍ଲୀ ପୋଲିସର ଆହତ କର୍ମଚାରୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ଜଣକ ପୋଲିସ କର୍ମଚାରୀଙ୍କ ପରିବାର ପକ୍ଷରୁ କରାଯାଇଥିବା ପ୍ରେସ୍ କନଫରେନ୍ସ ସମ୍ପର୍କରେ ପ୍ରଶ୍ନ କରିବା ପରେ ରାହୁଲ ଗାନ୍ଧୀ ତାଙ୍କୁ ପାଲଟା ପଚାରିଥିଲେ,ଯେ “ଆପଣ ବିଜେପିର କି?” ଏହା କହି ସେ ଆଗକୁ ଚାଲିଯାଇଥିଲେ ଏବଂ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନଥିଲେ।

ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ ଏହା କହୁଥିବା ଶୁଣିବାକୁ ମିଳୁଛି ଯେ, ରାହୁଲ ଗାନ୍ଧୀ ପ୍ରତ୍ୟେକ ଥର ସାମ୍ବାଦିକଙ୍କୁ ବିଜେପି ସହ ଯୋଡ଼ି ଦେଉଛନ୍ତି ଏବଂ ପ୍ରଶ୍ନର ଉତ୍ତର ନ ଦେଇ ସେଠାରୁ ଚାଲିଯାଉଛନ୍ତି।

ଜୁଲାଇ ୨୦ରେ ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ଶୁକ୍ରବାର ଏକ ପ୍ରେସ୍ କନଫରେନ୍ସ କରି ନିଜ ଅନୁଭବ ବଖାଣିବା ସହ ନ୍ୟାୟ ଦାବି କରିଛନ୍ତି।

ପ୍ରେସ୍ କନଫରେନ୍ସରେ ଆହତ ଜଣେ ଏସିପିଙ୍କ ପତ୍ନୀ କହିଥିଲେ ଯେ, ଜୁଲାଇ ୨୦ ରାତିରେ ତାଙ୍କ ସ୍ୱାମୀ ଆହତ ଅବସ୍ଥାରେ ଘରକୁ ଫେରିବା ଦୃଶ୍ୟ ତାଙ୍କ ଓ ତାଙ୍କର ଦୁଇ ବର୍ଷର ଝିଅ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ସେ କହିଥିଲେ ଯେ, ଅନ୍ୟ ଆହତ ପୋଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ସହ ସେମାନେ ନିଜ ଦୁଃଖ ବାଣ୍ଟିବାକୁ ଆସିଛନ୍ତି। ଅନ୍ୟ ଜଣେ ଆହତ ପୋଲିସ ଅଧିକାରୀଙ୍କ ପରିବାର ସଦସ୍ୟ କହିଥିଲେ ଯେ, ଏହା ପ୍ରକୃତ ଛାତ୍ର ଆନ୍ଦୋଳନ ନଥିଲା, ବରଂ କିଛି ଦୁର୍ବୃତ୍ତ ଛାତ୍ର ଆନ୍ଦୋଳନକୁ ବଦନାମ କରିବା ସହ ସଂସଦର ମର୍ଯ୍ୟାଦା କ୍ଷୁଣ୍ଣ କରିବାକୁ ଚେଷ୍ଟା କରିଥିଲେ। ସେ ଦାବି କରିଥିଲେ ଯେ, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ, କିନ୍ତୁ ପ୍ରକୃତ ଛାତ୍ରମାନଙ୍କ ବିରୋଧରେ ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ହେଉ।

ଏହାର ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଜୁଲାଇ ୨୦ର ଛାତ୍ର ଆନ୍ଦୋଳନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱାଧୀନ ଉଚ୍ଚସ୍ତରୀୟ କମିଟି ଗଠନ ଦାବି କରିଥିଲେ। ତାଙ୍କ କହିବା ଅନୁସାରେ, ଛାତ୍ରମାନଙ୍କ ଉପରେ ବଳ ପ୍ରୟୋଗ ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଯାହାକୁ ନେଇ ଏବେ ରାଜନୈତିକ ତର୍କ ଆହୁରି ତୀବ୍ର ହୋଇଛି।

ଏପଟେ ଲୋକସଭାରେ ଜୁଲାଇ ୨୯ର କାର୍ଯ୍ୟବିବରଣୀ ସମୟରେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ନେଇ ବିଜେପି ସାଂସଦ ଅନୁରାଗ ଠାକୁର ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି। ଏହାର ପ୍ରତିକ୍ରିୟାରେ କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସଂସଦକୁ ବିଭ୍ରାନ୍ତ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ମନ୍ତ୍ରୀ କହିଥିଲେ ପ୍ରତିବାଦକାରୀଙ୍କ ଉପରେ କୌଣସି ଗୁଳି ଚାଳନା ହୋଇନଥିଲା, କିନ୍ତୁ ରାହୁଲ ଗାନ୍ଧୀ ପେଲେଟ୍ ଗନ୍ ଓ AK-47 ବ୍ୟବହାର ହୋଇଥିବାର ପ୍ରମାଣ ଦେଖାଇଥିବା ଦାବି କରିଛନ୍ତି। ଏହାକୁ ନେଇ କଂଗ୍ରେସ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବ ବୋଲି ବେଣୁଗୋପାଳ ସୂଚନା ଦେଇଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦଳର ସାଂସଦମାନେ ଏଭଳି ନୋଟିସର ସାମ୍ନା କରିବାକୁ ସକ୍ଷମ ଅଛନ୍ତି ଏବଂ ଲୋକସଭାରେ ଉପଯୁକ୍ତ ଜବାବ ଦେବେ।

Leave A Reply

Your email address will not be published.