ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ପାଇଁ ଆଉ କିଛି ଦିନ ବାକିଥିବା ବେଳେ ରାଜଧାନୀରେ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର। ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ ବିଜେପି ମଧ୍ୟରେ ଜୋରଦାର ଚାଲିଛି ପୋଷ୍ଟର ୱାର୍।
ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଟାକ୍ଷ କରି ଏକ ପୋଷ୍ଟର ଜାରି କରିଛି ଆମ୍ ଆଦମି ପାର୍ଟି। ଏଥିରେ ଶାହଙ୍କୁ ‘ଚୁନାବୀ ମୁସଲମାନ’ ବା ନିର୍ବାଚନୀ ମୁସଲମାନ ଭାବେ ଦର୍ଶାଇଛି ଆପ୍। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ବିଜେପି ମଧ୍ୟ କୌଣସି ପ୍ରକାରେ ଆପ୍କୁ ଛାଡିନାହିଁ। କିଛିଦିନ ତଳେ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କ ପାଇଁ ମାସିକ ଦରମା ଯୋଜନା ଘୋଷଣା କରିଥିଲା ଆପ୍। ଯାହାକୁ ନେଇ କେଜ୍ରିୱାଲଙ୍କୁ ‘ଚୁନାବି ହିନ୍ଦୁ’ ବା ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ସେହପିରି ଅନ୍ୟ ଏକ ପୋଷ୍ଟରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ, ସାଂସଦ ରାଘବ ଚଢା ଓ ସଂଜୟ ସିଂହଙ୍କ ଫଟୋ ଲଗାଇ ଏମାନଙ୍କୁ ଗୁଣ୍ଡା ବୋଲି କହିଥିଲା ବିଜେପି।
ଏହାର କଡା ଜବାବ ଦେଇଛି ଆପ୍। ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ସହ ଏକ ପୋଷ୍ଟର ଜାରି କରି ଶାହଙ୍କୁ ‘ନିର୍ବାଚନୀ ମୁସଲମାନ’ ବୋଲି କହିଛି ଆପ୍। ଆପ୍ ପକ୍ଷରୁ ଜାରି କରାଯାଇଥିବା ବ୍ୟଙ୍ଗାତ୍ମକ ପୋଷ୍ଟରରେ ଶାହ କାଶ୍ମୀରୀ ଟୋପି ପିନ୍ଧିଥିବାର ଦେଖାଯାଇଛି। ପଛପଟରେ ଜାମା ମସଜିଦ ରହିଛି। ଏହି ପୋଷ୍ଟରରେ ଶାହଙ୍କୁ ଫିଲ୍ମର ନିର୍ଦ୍ଦେଶକ ବୋଲି ଲେଖାଯାଇଛି। ଫିଲ୍ମରେ ରୋହିଂଗ୍ୟା, ବାଂଲାଦେଶୀ, ମୌଲବୀ, ମୌଲାନା, ଇମାମ, ୱାକଫ ବୋର୍ଡ ଚିତ୍ରିତ ହୋଇଥିବା ଲେଖାଯାଇଛି। ସେହିପରି ଫିଲ୍ମର ନିର୍ମାତା ‘ଲୋଟସ୍ ପ୍ରଡକ୍ସନ୍ସ’ ବୋଲି ଲେଖାଯାଇଛି।
ସୂଚନାଥାଉକି ଯେ ଦିଲ୍ଲୀରେ ରହୁଥିବା ରୋହିଂଗ୍ୟା ମୁସଲିମ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ଏମାନଙ୍କୁ ଦିଲ୍ଲୀରେ ଆଣି ବିଜେପି ରଖୁଥିବାବେଳେ ଆପକୁ କେବଳ ବଦନାମ କରୁଛି ବୋଲି ଶାସକ ଦଳ ଅଭିଯୋଗ କରୁଛି। ଅନ୍ୟପଟେ ରୋହିଂଗ୍ୟା ମୁସଲିମ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆପ୍ ସରକାରୀ ଡକ୍ୟୁମେଣ୍ଟ ଦେଇ ଦିଲ୍ଲୀରେ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛି ବୋଲି ବିଜେପି ଅଭିଯୋଗ କରୁଛି।