କଂଗ୍ରେସ ଉପରେ ବର୍ଷିଲା ଆମ ଆଦମୀ ପାର୍ଟି: ଆଞ୍ଚଳିକ ଦଳକୁ ଦୁର୍ବଳ କରୁଥିବା ନେଇ ସୋମନାଥ ଭାରତୀଙ୍କ ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେଉଥିବା ବେଳେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଥିବା ବିବାଦ ପୁଣିଥରେ ପଦାକୁ ଆସିଛି। ଆପ ନେତା ସୋମନାଥ ଭାରତୀ କଂଗ୍ରେସ ଉପରେ ଜୋରଦାର ବର୍ଷିବା ସହିତ ଆଞ୍ଚଳିକ ଦଳଗୁଡିକୁ ଦୁର୍ବଳ କରିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି। ଏହି ବୟାନ ପରେ ମେଣ୍ଟ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ ବାରି ହୋଇପଡିଛି।
ସୋମନାଥ ଭାରତୀ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଦାବି କରିଛନ୍ତି ଯେ ବିଜେପି ଏବଂ କଂଗ୍ରେସ ଉଭୟ ମିଶି ଦେଶରେ ପାଳି କରି ଶାସନ କରିବାକୁ ଚାହୁଁଛନ୍ତି। ଜାତୀୟ ସ୍ତରରେ କେବଳ ଏହି ଦୁଇଟି ଦଳ ରହିବା ଉଦ୍ଦେଶ୍ୟରେ ଆଞ୍ଚଳିକ ଦଳଗୁଡିକୁ ଖତମ କରିବା ପାଇଁ ଉଦ୍ୟମ କରାଯାଉଛି। ତେଣୁ ଯଦି ଇଣ୍ଡିଆ ମେଣ୍ଟର ନେତୃତ୍ୱ କଂଗ୍ରେସ ହାତକୁ ଯାଏ ତେବେ ଆମ ଆଦମୀ ପାର୍ଟି ନିଜକୁ ଏହି ମେଣ୍ଟରୁ ଦୂରେଇ ରଖିବ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି।
ଲୋକସଭା ନିର୍ବାଚନ ସମୟରେ ମିଳିତ ଭାବେ ଲଢିଥିବା ଏହି ଦୁଇ ଦଳ ମଧ୍ୟରେ ଏବେ ତିକ୍ତତା ବଢିବାରେ ଲାଗିଛି। ଦିଲ୍ଲୀରେ ଉଭୟ ଦଳ ଏକାଠି ନିର୍ବାଚନ ଲଢିଥିଲେ ମଧ୍ୟ ସମ୍ପର୍କରେ ଆଦୌ ଉନ୍ନତି ଆସିପାରିନାହିଁ। କଂଗ୍ରେସ ନେତାମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆମ ଆଦମୀ ପାର୍ଟିକୁ ଲଗାତାର ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି।
ଆଗାମୀ ଦିନରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଉଭୟ ଦଳ ନିଜର ସ୍ଥିତି ମଜବୁତ କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ଜାତୀୟ ସ୍ତରରେ ବିରୋଧୀ ମେଣ୍ଟକୁ ଏକାଠି ରଖିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଆପ ନେତାଙ୍କ ଏଭଳି ବୟାନ ମେଣ୍ଟର ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହାକୁ ନେଇ କଂଗ୍ରେସ କୌଣସି ପ୍ରତିକ୍ରି୍ୟା ରଖିନାହିଁ।