Latest Odisha News

BREAKING NEWS

ଆଉ ଶୁଣିବାକୁ ମିଳୁନାହିଁ ଘରଚଟିଆର କିଚିରିମିଚିରି ଶବ୍ଦ…

ଭୁବନେଶ୍ୱର: ଘରଚଟିଆକୁ ମନୁଷ୍ୟର ଏକ ଉତ୍ତମ ବନ୍ଧୁ ଭାବେ ବିବେଚନା କରାଯାଏ । ଗାଁ ହେଉ ଅବା ସହର ସେ ସବୁବେଳେ ମନୁଷ୍ୟ ସାଥିରେ ରହିବାକୁ ଭଲପାଏ । ବିଶେଷ କରି ଏମାନେ ଗାଁରେ ଅଧିକ ଦେଖାଯାଆନ୍ତି । ଚାଳ ଘରର କାନ୍ଥରେ ଏମାନେ କୁଟାକାଠିର ବସାଟିଏ ତିଆରି କରି ରହିଥାନ୍ତି ।

ସକାଳୁ ସକାଳୁ ଘରଚଟିଆର କିଚିରି ମିଚିର ଶଦ୍ଦରେ ପାହାନ୍ତିଆର ଅଳସୁଆ ନିଦ ଭାଙ୍ଗିଯାଏ ଏବଂ ତା’ର ସେହି ମଧୁର ସ୍ୱର ମନରେ ଭରିଦେଇଥାଏ ଅପୂର୍ବ ଆନନ୍ଦ ଓ ଖୁସିର ଲହରି।

ସୂର୍ଯ୍ୟକିରଣ ପଡିବା ପୂର୍ବରୁ ଘରର ଅଗଣାରେ ନିଜ ପରିବାର ସହ ପ୍ରାତଃ ଭ୍ରମଣ କରି ସମସ୍ତଙ୍କୁ ନିଦରୁ ଉଠାଇବାରେ ସାହାଯ୍ୟ କରନ୍ତି କିଚିରି ମିଚିରି ଶଦ୍ଦ କରି ।ସତେ ଯେପରି ଘରର ମୁରବି ନିଜ ପିଲାମାନଙ୍କର ଯତ୍ନ ନେବାକୁ ବାହାରିପଡିଛନ୍ତି ।

କୁନି କୁନି ଆଖି ଓ ରଙ୍ଗ ବେରଙ୍ଗର ସଜ୍ଜିତ ସୁନ୍ଦର ଡଉଲଡାଉଲ ଚେହେରାଟି ତା’ର ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଘରଚଟିଆ କୁ ଯେକେହି ବି ଦେଖିଲେ ଅଭିଭୂତ ହୋଇଯାଏ । ଏମାନେ ଧାନ,ଗହମ,ଜିଆ,କୀଟପତଙ୍ଗ ଆଦି ଖାଇ ଜୀବନ ନିର୍ବାହ କରିଥାନ୍ତି । ଏମାନେ ଭାଇଚାରାରେ ଆବଦ୍ଧ ହୋଇ ଶ୍ରେଣୀବଦ୍ଧ ଭାବେ ଅଗଣା,ଚାଷ ଜମି ବା ରାସ୍ତାଘାଟରୁ ଖାଦ୍ୟ ଖୁଣ୍ଟି ଖୁଣ୍ଟି ଖାଇଥାନ୍ତି ।

ଘରଚଟିଆ କ୍ଷେତରୁ ଖାଦ୍ୟଶସ୍ୟ ଖାଇବା ସହିତ କ୍ଷେତ ନଷ୍ଟ କରୁଥିବା କୀଟପତଙ୍ଗକୁ ମାରି ଖାଇଥାଏ ।ଯାହାଦ୍ୱାରା କୃଷକର ଫସଲ ନଷ୍ଟ ହୁଏନାହିଁ । ସେଥିପାଇଁ ଚାଷୀ ନିଜ ଚାଷ ଜମିର ମଝିରେ ମଝିରେ ବାଡି ପୋତିଥାଏ ଘରଚଟିଆ ପାଇଁ ।ଏହି କାରଣରୁ ଘରଚଟିଆକୁ ଚାଷୀର ଉତ୍ତମ ବନ୍ଧୁ ବୋଲି କୁହାଯାଇଛି ।

ଘରଚଟିଆ ବିଲୁପ୍ତିର କାରଣ:

କୃଷକ ବନ୍ଧୁ କୁହାଯାଉଥିବା ଘରଚଟିଆ ବଂଶ ଧୀରେ ଧୀରେ ଲୋପ ପାଇବାକୁ ଲାଗିଲାଣି । ଏହି ଏକ ଦଶନ୍ଧି ମଧ୍ୟରେ ଏମାନଙ୍କ ସଂଖ୍ୟା ୮୦% ହ୍ରାସ ପାଇଛି ।

କୃଷି କ୍ଷେତ୍ରରେ ରାସାୟନିକ ସାର ଓ ପୋକମରା ଔଷଧର ବହୁଳ ବ୍ୟବହାର ହେବା ଫଳରେ ଏହାର କୁପ୍ରଭାବ ଘରଚଟିଆ ମାନଙ୍କ ଉପରେ ପଡୁଚି । ସେମାନେ ଖାଦ୍ୟ ସଂଗ୍ରହ କଲାବେଳେ ରାସାୟନିକ ସାର ଓ କୀଟନାଶକ ଯୁକ୍ତ ଖାଦ୍ୟ ଖାଇ ଏମାନଙ୍କ ମୃତ୍ୟୁ ହେଉଛି । ଯାହାଫଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।

ଏହା ବ୍ୟତୀତ ବାୟୁମଣ୍ଡଳ ପ୍ରଦୂଷିତ ହେବା ଫଳରେ ଏମାନଙ୍କ ବଂଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ମୋବାଇଲ ଟାୱାରର ବାହାରୁଥିବା ବୈଦୁତିକ ତରଙ୍ଗ,ଯାନବାହାନ ଓ କଳକାରଖାନାରୁ ବାହାରୁଥିବା ବିଷାକ୍ତ ଧୂଆଁ ଏମାନଙ୍କ ପାଇଁ କାଳ ସାଜିଛି । ଆଜି ମଣିଷ ନିଜ ଅଜାଣତରେ ନିଜର ଏକ ପ୍ରିୟ ବନ୍ଧୁ ଘରଚଟିଆର ବିନାଶ କରିବାରେ ଲାଗିଛି ।

ବେଳଥାଉଁ ଯଦି ଆମେ ସଚେତନ ନହେବା ହୁଏତ ଆମର ଆଗାମୀ ପିଢି ଏଭଳି ସୁନ୍ଦର ପକ୍ଷୀକୁ ଦେଖିବାକୁ ପାଇବେ ନାହିଁ ।

Leave A Reply

Your email address will not be published.