Latest Odisha News

BREAKING NEWS

ଜୋରିମାନା ନଦେବାକୁ ଯାଇ ମିଛ ଅପହରଣ କେସ, ଚାରି ବର୍ଷ ପରେ ଘଟଣା ଉପରୁ ହଟିଲା ପରଦା

ଖୋର୍ଦ୍ଦା: ଜଣେ ବ୍ୟକ୍ତି ଜୋରିମାନା ନଦେବାକୁ ଯାଇ ପରିବାର ଲୋକଙ୍କ ଦ୍ୱାରା ରଚାଯାଇଥିବା ମିଛ ଅପହରଣ କେସ ଘଟଣା ଉପରୁ ପରଦା ହଟାଇଛି ଖୋର୍ଦ୍ଧା ପୋଲିସ । ନିଜ ସ୍ୱାମୀ ଏବଂ ପୁଅ ଅପହରଣ ହୋଇଥିବା କହି ଥାନାରେ ପରେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଜଣେ ମହିଳା । ଏବେ ଏହି ଘଟଣାରେ ଦୀର୍ଘ ଚାରି ବର୍ଷ ପରେ ନୟାଗଡରୁ ସପରିବାରକୁ ଉଦ୍ଧାର କରିଛି ପୋଲିସ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ମହିଳା ଜଣଙ୍କ ସରକାରଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇବାକୁ ଯାଇ ଏଭଳି ଏକ ମିଛ ନାଟକ ରଚିଥିଲେ । ଆଉ ଏପରି ନକଲି ଅପହରଣ କେସ ପଛରେ କିଛି ମାନବାଧିକାର କର୍ମୀଙ୍କ ମନ୍ଦ ଉଦ୍ଦେଶ୍ୟ ଲୁଚିଛି ବୋଲି ସନ୍ଦେହ କରାଯାଉଛି।

ଘଟଣାଟି ଏମିତି ୨୦୧୮ରେ ହରବରାଡି ଗାଁ କମିଟି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ କହୁଯାଇଥିଲା ଯେ ଚିଲିକା ହ୍ରଦରେ ଗାଁର କୌଣସି ଲୋକ ମାଛ ଧରିବାକୁ ଯିବେ ନାହିଁ। ହେଲେ ଏହାକୁ ଅଣଦେଖା କରି ଅରୁଣ ବେହେରା (୫୩) ଓ ତାଙ୍କ ପୁଅ ମାନସ (୨୫) ମାଛ ଧରିବାକୁ ଯାଇଥିଲେ। ପରେ ଗାଁ କମିଟି ତାଙ୍କ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଟଙ୍କା ଯୋଗାଡ଼ କରିବା ବାହାନାରେ ବାପ ପୁଅ ଦୁହେଁ ଗାଁ ଛାଡ଼ି ପଳାଇ ଯାଇଥିଲେ। ଏହାପରେ ପାର୍ବତୀ ବେହେରା ତାଙ୍କ ସ୍ୱାମୀ ଓ ପୁଅଙ୍କୁ ଅପହରଣ କରାଯାଇଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ।

ପରେ ସେ ଓଡ଼ିଶା ମାନବାଧିକାର କମିସନ ଓ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୪ ବର୍ଷ ପରେ ଗତ ଏପ୍ରିଲ ୧୮ ତାରିଖରେ ନୟାଗଡ଼ ଜିଲ୍ଲା ଗୋପାଳପୁର ଗାଁରୁ ବାପ-ପୁଅଙ୍କୁ ଟାଙ୍ଗୀ ପୋଲିସ ଟିମ୍ ‘ଉଦ୍ଧାର’ କରିଥିଲା। ଏହି ସମୟରେ ଅଭିଯୋଗକାରୀ ତଥା ଉଦ୍ଦାର ହୋଇଥିବା ବ୍ୟକ୍ତିଙ୍କ ସ୍ତ୍ରୀ ପାର୍ବତୀଙ୍କୁ ମଧ୍ୟ ସାଙ୍ଗରେ ଦେଖିବାକୁ ମିଳିଥିଲା।

ଏ ସମ୍ପର୍କରେ ବାଲୁଗାଁ ଉପଖଣ୍ଡ ପୋଲିସ ଅଧିକାରୀ ମାନସ ବାରିକ କହିଛନ୍ତି, ମହିଳା ଜଣକ ଓଏଚଆରସି ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିବାରୁ ଆମେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ୪ ବର୍ଷ ଧରି ପ୍ରୟାସ କରୁଥିଲୁ । ତେବେ ତଦନ୍ତ ବେଳେ ଜଣାପଡିଛି ଯେ ମହିଳା ଜଣକ ଜଣେ ମାନବାଧିକାର କର୍ମୀଙ୍କ ଦ୍ୱାରା ବିଭ୍ରାନ୍ତ ହୋଇଥାଇପାରନ୍ତି। ଯିଏ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଯଦି ତାଙ୍କ ସ୍ୱାମୀ ଏବଂ ପୁଅକୁ ଠିକ୍ ସମୟରେ ଉଦ୍ଧାର କରା ନଯାଏ ତେବେ ସରକାର ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ। ମହିଳା ଜଣକ କୋର୍ଟ କେସ୍ ପାଇଁ ନିଜ ଗହଣା ବନ୍ଧକ ରଖି ବିପୁଳ ଅର୍ଥ ଖର୍ଚ୍ଚ କରିଥିବା କୁହାଯାଉଛି। ଏହି ମାମଲାର ତଦନ୍ତ ନୂଆ ଢଙ୍ଗରେ କରାଯିବ ବୋଲି ପୋଲିସ ଅଧିକାରୀ ମାନସ ବାରିକ କହିଛନ୍ତି।

Leave A Reply

Your email address will not be published.