Latest Odisha News

BREAKING NEWS

ଅମୃତର ସନ୍ତାନ

ଗୋପୀନାଥ ମହାନ୍ତିଙ୍କ ଜନ୍ମ ଜୟନ୍ତୀ ଅବସରରେ…

ଜୀବନର ସୁଆଦ ଅଛି । ମରଣ ନାହିଁ, ଦୁଃଖ ନାହିଁ । କେଡ଼େ ଚମତ୍କାର ଓ ଆବେଗପୂର୍ଣ୍ଣ ଶବ୍ଦରେ ଜୀବନକୁ ଦୁଇ ଧାଡ଼ିରେ ଲେଖି ଦେଇଥିଲେ ଗୋପୀନାଥ ମହାନ୍ତି ।

ପୁୟୁ, ପୁବୁଲି, ସରବୁ ସାଓଁତାର ଜୀବନକୁ ‘ଅମୃତର ସନ୍ତାନ’ରେ ପାହାଡ଼ର ଧାଡ଼ି ପରେ ଧାଡ଼ି ବର୍ଣ୍ଣନା କରୁଥିବା ବେଳେ ଶେଷକୁ ଏଇ ଦୁଇ ଧାଡ଼ିରେ ଗୋପୀନାଥ ମହାନ୍ତି ସାରିଥିଲେ- ଆମ ଭାଷା ସାହିତ୍ୟର ଶ୍ରେଷ୍ଠ ଉପନ୍ୟାସକୁ । ନେଳିଆ, ସବୁଜା, କରମଙ୍ଗା ପରି ପାହାଡ଼ କତିରେ ଜୀବନର ଆନନ୍ଦ ଦେଖିଥିଲେ ସେ, ହଜାର ହଜାର ଫୁଟ କନ୍ଧ ଭୂଇଁରେ ଜୀବନ କିପରି ଅଳସୀ ଛୁଆଁ ଗଛ ଛାଇରେରଂଗେଇ ହୁଏ, କି ମହୁଲ ନିଶାରେ ଟଳଟଳ ଜୀବନୀ ପାଦଚିହ୍ନ କିପରି ଗୋଳେଇ ପୋଳେଇ ହୋଇ ଅଲଗା ସୁଆରେ ବୋହିଯାଏ କିମ୍ବା ପଇସା କିପରି ପଇସାକୁ ଡାକେ, ସେ ରକ୍ତ ଲଗା କି ମାଂସ ଲଗା ପଇସା ହେଉ ଆଉ ତା’ରି ଭିତରେ ଶୁକଅୁ ଜାନିର ଜୀବନକୁ ଦେଖି- ପାହାଡ଼ ସନ୍ଧିର ମଣିଷଙ୍କ ମନରେ ବିପ୍ଳବର ନିଆଁ ଖଞ୍ଜି ଦେଇଥିଲେ ଯିଏ- ସେ ଗୋପୀନାଥ ମହାନ୍ତି ।

ଏ ଜାତିର, ଭାଷା ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ସ୍ରଷ୍ଟା । ଫକୀରମୋହନଙ୍କ ପରେ ଯଦି କିଏ ଏ ଜାତିକୁ ଜାବୁଡ଼ି ଧରି ତା’ର ପ୍ରତିଟି ଟିକିନିଖି କଥାକୁ ଗଦ୍ୟ ସାହିତ୍ୟରେ ଝରଣା ପରି ପ୍ରବାହମନା ବାଗରେ ଫୁଟେଇ ଥିଲେ- ସେ ଗୋପୀନାଥ ମହାନ୍ତି । ମଣିଷର ମନଗହନର କଥା, ଉଷୁମ ମନହାଣ୍ଡିରେ, ଭାତହାଣ୍ଡିରେ ମଣିଷର ଥାନ, ମନଗହନର ଯନ୍ତ୍ରଣା ଓ ତାର ନୀରବ ଚିତ୍କାର, ଆକାଶକୁ ବ୍ୟାପ୍ତ କରିଥିବା ଭସା ବାଦଲ, ଆକାଶକୁ ଛୁଇଁବା ପାଇଁ କୋଉ ଦିନରୁ ଅନେଇ ପଡ଼ିଥିବା ଧାଡ଼ି ଧାଡ଼ି ବୁଢା ପାହାଡ଼ ଓ ତା’ରି ଭିତରେ ସଭ୍ୟତା ଭିତରେ ଜୀଉଁଥିବା ପଲ ପଲ, ହାଉଜାଉ ମଣିଷଙ୍କ ନୀରବ ସଂଳାପ ତ ଗୋପୀ ମହାନ୍ତିଙ୍କର ପ୍ରତିଟି ଲେଖାରେ ସ୍ପଷ୍ଟ ।

ଗାଁ ଗଣ୍ଡାର ଭାଷା, ଆମ ତମ ଲୋକଭାଷା, ତାଙ୍କ ବୋଉର ଭାଷା, ଚଳଣିକୁ ସାରା ବିଶ୍ୱରେ ପରିଚିତ କରେଇ ଦେଇଥିଲେ ଗୋପୀନାଥ ମହାନ୍ତି । ସମୁଦ୍ର କୂଳର ମଣିଷ, ଗାଁ ଭାଗବତ ଗାଦୀରେ ଭାଗବତ ଶୁଣି ଭଗବତ ପ୍ରେମରେ ଲଣ୍ଠନ ଆଲୁରେ ଢୁଳେଇ ପଡ଼ିଥିବା ମଣିଷର ମନ ଓ ସ୍ୱପ୍ନ, ଶଗଡ଼ ଧୂଳି ବୋଳା ରାସ୍ତାରେ ନିଇତି ଯାଉଥିବା ଆସୁଥିବା ମଣିଷର କାହାଣୀକୁ ସେ ଦେଖେଇ ଯାଇଛନ୍ତି ସାରା ବିଶ୍ୱକୁ ।

୧୯୪୦ ମସିହା ମଇ ମାସରୁ ୧୯୪୪ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୋରାପୁଟରେ ମାଜିଷ୍ଟ୍ରେଟ ତଥା ଏଜେନ୍ସି ମୁନ୍ସୀ ଭାବରେ ଥିଲା ବେଳେ ସେ ରଚନା କରିଥିଲେ ଅନବଦ୍ୟ ଉପନ୍ୟାସ ଦାଦିବୁଢା (୧୯୪୪), ପରଜା (୧୯୪୫), ଅମୃତର ସନ୍ତାନ(୧୯୪୯), କୁଂଭିକନ୍ଧ ଭାଷାତତ୍ତ୍ୱ ଗଦବା ଭାଷା ପରିଚୟ । ‘ମାଟି ମଟାଳ’ ତ
ପୁରୁଷ ପୁରୁଷର କାହାଣୀ କହେ । ତାଙ୍କର ଉପନ୍ୟାସ ମଧ୍ୟରେ ମାଟି ମଟାଳ (୧୯୬୪) ଶିବଭାଇ (୧୯୫୫), ଅପହ (୧୯୬୧), ବଘେଇ (୧୯୭୬) ଓ ଅନାମ (୧୯୯୩) ଆଦିବାସୀ ଜୀବନକୁ ନିଖୁଣେଇ ଦର୍ଶାଏ । ‘ଦାଦିବୁଢାରେ’ ସେ ଦେଖେଇଛନ୍ତି- ପ୍ରକୃତି ଭିତରୁ ଗୋଟେ ଗଛ ଗଣ୍ଡିରେ ଚୋଟ ପକେଇ ମଣିଷ କେମିତି ସେଥିରେ ରଙ୍ଗ ବୋଳି ଦେବତାଙ୍କୁ ଡାକି ଆଣେ ଆଉ ସେ ବିଶ୍ୱାସ ଆସ୍ତେ କୋଉ ବାଗରେ ଅପସରି ଯାଏ, ପୁଣି ପରିତ୍ୟକ୍ତ ହୋଇ ଯାଆନ୍ତି ଦିଅଁ ।

୧୯୭୫ ମସିହାରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍ ଉପାଧି, ୧୯୭୯ ମସିହାରେ ୟୁ.ଜି.ସି. ଫେଲୋସିପ୍‌ ସହ ୧୯୮୧ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ଉପାଧି ପାଇଛନ୍ତି । ଏ ଜାତିର ଭାଷା ସାହିତ୍ୟର ପ୍ରଥମ ଜ୍ଞାନପୀଠ ଓ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ହିଁ ମିଳିଥିଲା । ତେବେ ଏ ପୁରସ୍କାର, ଏ ସମ୍ମାନକୁ ଛାଡ଼ି ଗୋଟେ ସଦା ଅନ୍ୟମନସ୍କ ଜାତିକୁ ତାରି କାହାଣୀ ସେ ଶୁଣେଇଛନ୍ତି, କହିଛନ୍ତି ଗୋଟି ଗୋଟି କରି ତାଙ୍କରି ଭାଷାରେ, ଗଦ୍ୟରେ ପଦ୍ୟ ଲେଖି ମିଣିଆପାୟୁ ହେଉ କି ସୋରିଷପଦର ପ୍ରତି ଆଡ଼େ ସେ ଜୀବନର ଜଞ୍ଜାଳ ସହ ତାରି ସଂଘର୍ଷ, ମନର ଚଉପଦୀ ଲେଖି ଯାଇଛନ୍ତି ଗୋପୀନାଥ ।

୧୯୧୪ ଏପ୍ରିଲ ୨୦ ତାରିଖରେ ସେ ସଦା ଭଲ ପାଉଥିବା ଏ ପୃଥିବୀକୁ ଆସିଥିଲେ ସେଇ ଅମୃତର ସନ୍ତାନ ।

Leave A Reply

Your email address will not be published.