Abhijit Majumdar: ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ
ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ ମନ୍ତ୍ରୀ। ପ୍ରୋଟୋକଲ୍ ଅନୁସାରେ ଚିକିତ୍ସା ଚାଲିଛି, ଉନ୍ନତି ଆସିଛି କହିଲେ ଡାକ୍ତର। ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏମ୍ସରେ ଚିକିତ୍ସାଧୀନ ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଏବଂ ଗାୟକ ଅଭିଜିତ ମଜୁମଦାରଙ୍କୁ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ ବୋଲି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ଅଭିଜିତଙ୍କ ପରିବାର ସଦସ୍ୟଙ୍କୁ ଭେଟି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। ଏହସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଅଭିଜିତ ମଜୁମଦାରଙ୍କୁ ଚିକିତ୍ସା ଯୋଗାଉଥିବା ଡାକ୍ତରଙ୍କ ଦଳକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭେଟି ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ।
ମନ୍ତ୍ରୀ କହିଛନ୍ତି, “ମୁଁ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲି । ମୁଁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହିତ କଥା ହୋଇଥିଲି । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଏବଂ ଅନ୍ତରୀଣ ଅଙ୍ଗ ସବୁ ଠିକ ଅଛି । କଥାବାର୍ତ୍ତା ତ ହେଉନାହାନ୍ତି ହେଲେ ଶୀଘ୍ର ସୁସ୍ଥତା ପାଇଁ ସରକାର ଓ ଡାକ୍ତରୀ ଦଳଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ପ୍ରୋଟୋକଲ ଅନୁଯାୟୀ ତାଙ୍କର ଚିକିତ୍ସା ଚାଲିଛି। ଯଦିଓ ସେ ବର୍ତ୍ତମାନ କଥାବାର୍ତ୍ତା ଅବସ୍ଥାରେ ନାହାନ୍ତି, ତଥାପି ସରକାର ଏବଂ ଡାକ୍ତରୀ ଦଳ ଦ୍ୱାରା ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରୟାସ କରାଯାଉଛି। ଆଗାମୀ ଦିନରେ, ଏକ ସ୍ୱତନ୍ତ୍ର ଦଳ ତାଙ୍କ ସୁସ୍ଥତା ପାଇଁ କାମ କରିବ କିନ୍ତୁ ଆବଶ୍ୟକ ପଡ଼ିଲେ, ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ । ମୁଁ ତାଙ୍କର ସର୍ବୋତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛି ଯାହା ଦ୍ୱାରା ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିପାରିବେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ସମ୍ପର୍କରେ ଡାକ୍ତରୀ ଦଳ ଦେଇଥିବା ପରାମର୍ଶ ବିଷୟରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବୁ।”
Comments are closed.