ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆକର୍ଷଣୀୟ ପ୍ରଦର୍ଶନ ଜାରୀ ରଖିଛି । ଅବଶ୍ୟ ସେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେ ଖେଳାଯାଇଥିବା ୨ଟି ଟି୨୦ରେ ୧୭ ଓ ୧୭ ରନ କରିଛନ୍ତି । ତେବେ ବାକିଥିବା ୩ଟି ମ୍ୟାଚରେ ଅଭିଷେକ ଭଲ ପ୍ରଦର୍ଶନ କଲେ ବିରାଟ କୋହଲିଙ୍କ ରେକର୍ଡ ଭଙ୍ଗ କରିପାରିବେ । ୨୦୧୬ରେ କୋହଲି ୩୧ ଟି୨୦ ମ୍ୟାଚ ଖେଳି ୧୬୧୪ ରନ କରିଥିଲେ । ଗୋଟିଏ କ୍ୟାଲେଣ୍ଡେର ବର୍ଷରେ ଭାରତ ପକ୍ଷରୁ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
ଅଭିଷେକ ଚଳିତ ବର୍ଷ ୩୯ ଟି୨୦ ଖେଳି ୧୫୩୩ ରନ କରିଛନ୍ତି । ସେ ଆଉ ୮୨ ରନ କଲେ କୋହଲିଙ୍କ ରେକର୍ଡ ଭଙ୍ଗ କରିବେ । ସେ ସୂର୍ଯ୍ୟକୁମାରଙ୍କ ୧୫୦୩ ରନକୁ ଅତିକ୍ରମ କରି ସାରିଛନ୍ତି । ଏବେ ତାଙ୍କ ନଜର କୋହଲିଙ୍କ ରେକର୍ଡ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ଡିସେମ୍ବର ୧୪ରେ ଧର୍ମଶାଳାରେ ତୃତୀୟ ଟି୨୦ ଖେଳାଯିବ ।