ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଓଡିଶା ଗସ୍ଥରେ ଆସିବେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପନ୍ଦ୍ର ଦ୍ୱିବେଦୀ। ତିନି ଦିନିଆ ଓଡ଼ିଶା ଗସ୍ତ ଅବସରରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହା ପରେ ଗୋପାଳପୁର ଏୟାର ଡିଫେନ୍ସ କଲେଜକୁ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ, ଅଧିକାରୀଙ୍କ ସହ ଆଲୋଚନା ଏବଂ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଦେଖିବେ।
ସେନା ମୁଖ୍ୟଙ୍କ ସହ ତାଙ୍କ ପତ୍ନୀ, ତିନିଜଣ ଷ୍ଟାଫ୍ ଅଫିସର ଏବଂ ତିନିଜଣ ଯବାନ ମଧ୍ୟ ଓଡ଼ିଶା ଆସୁଛନ୍ତି । ରବିବାର ପୁଣି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମରେ ରହିଛି । ସେନା ମୁଖ୍ୟ ନୂଆଦିଲ୍ଲୀରୁ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରୁ ସଡ଼କ ପଥରେ ୧୨୦ ଇନଫେଣ୍ଟ୍ରି ବାଟାଲିୟନକୁ ଯାଇ ରାତ୍ରି ଯାପନ କରିବେ। ୨୮ ମାର୍ଚ୍ଚ- ଭୋର ୫:୧୫ ସମୟରେ ପୁରୀ ଅଭିମୁଖେ ଯାତ୍ରା କରିବେ।
ସକାଳ ୭ ଟାରୁ ୮ଟା ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ପୁରୀ ତାଳବଣିଆ ହେଲିପ୍ୟାଡରୁ ହେଲିକପ୍ଟର ଯୋଗେ ଗୋପାଳପୁର ମିଲିଟାରୀ ଷ୍ଟେସନକୁ ଯିବେ ଗୋପାଳପୁରରେ ତାଲିମ ସୁବିଧା ପରିଦର୍ଶନ କରିବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଫିସରମାନଙ୍କୁ ଉଦବୋଧନ ଦେବେ। ଅପରାହ୍ନରେ ଏୟାର ଡିଫେନ୍ସ ଫାୟାରିଂ ଏବଂ ସାମରିକ ଉପକରଣ ପ୍ରଦର୍ଶନୀ ଅନୁଧ୍ୟାନ କରିବେ। ଏହାପରେ ୨୯ ମାର୍ଚ୍ଚ, ସକାଳେ ସେ ଗୋପାଳପୁରରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ଏବଂ ଭୁବନେଶ୍ୱରରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
Comments are closed.