Latest Odisha News

BREAKING NEWS

ଶ୍ରୀମନ୍ଦିର ନାଟ ମଣ୍ଡପରେ ହେବ ଏସି ବ୍ୟବସ୍ଥା, ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହା ମଧ୍ୟରେ ୧୦୩ କୋଟି ଟଙ୍କାର ବଳକା ବଜେଟ୍ । ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଯୋଗାଇଛନ୍ତି । ତେବେ ସମୁଦାୟ ୧୫୦୦ କୋଟି ଟଙ୍କା ସ୍ଥାୟୀ ଜମା ରାଶି ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ସେପଟେ, ରତ୍ନଭଣ୍ଡାର ଯାଞ୍ଚ ନେଇ ଏଏସାଇ ଡିଜିଙ୍କ ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । କେବଳ ଅପେକ୍ଷା ରହିଛି ଏଏସଆଇ ଡିଜିଙ୍କ ଲିଖିତ ରିପୋର୍ଟକୁ । ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଅନ୍ୟପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ପରିଚାଳନା କମିଟି ଗୁରୁତ୍ୱ ଦେଇଛି । ପରମ୍ପରା ଓ ସେବା ପୂଜାକୁ ବ୍ୟାଘାତ ନକରି ଏହି ଶୃଙ୍ଖଳା ଅଣାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ମହିଳା, ଶିଶୁ ଓ ବୟସାଧିକ ଭକ୍ତ ତଥା ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ନାଟମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ ପ୍ରତିବନ୍ଧକ ଲଗାଉଥିବା ସିନ୍ଦୁକ ଓ ଆଲମିରାକୁ କଢ଼ାଯିବା ସହ ସମ୍ପୂର୍ଣ୍ଣ ନାଟମଣ୍ଡପ ପରିସରକୁ ଶୀତତାପ ନିୟନ୍ତ୍ରିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ସେହିପରି ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ପାଇଁ ନିୟମିତ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେଵାସହ ପ୍ରତ୍ୟକ ମାସରେ ବୈଠକ ଅନୁଷ୍ଠିତ ହେବ । ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ତେବେ ପୂର୍ବରୁ ଶ୍ରୀମନ୍ଦିରର ୯ଟି ଦ୍ୱାରକୁ ରୂପା ଛାଉଣୀ କରାଯାଇଥିବା ବେଳେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ଦ୍ୱାରକୁ ସୁନା ଛାଉଣୀ କରିବାକୁ ପରିଚାଳନା କମିଟି ପ୍ରସ୍ତାବ ଦେଇଛି ।

ସେପଟେ ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଅନ୍ୟପଟେ ଓରସାକ ଦ୍ୱାରା ଜମିଜମା ସମସ୍ୟା ସମାଧାନ ପାଇଁ ମ୍ୟାପିଂ ଓ ଡିଜିଟାଇଜେସନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Comments are closed.