Latest Odisha News

BREAKING NEWS

ଏସିରୁ ବାହାରୁଥିବା ପାଣିର ଏତେ କାମ ! ଜାଣିଲେ କେବେ ନଷ୍ଟ କରିବେନି

ଆଜିକାଲି ଗରମ ଦିନେ ଏୟାର କଣ୍ଡିସନର (ଏସି) ଅନେକ ଘରେ ଏକ ଅତ୍ୟାବଶ୍ୟକୀୟ ଉପକରଣ ହୋଇପଡ଼ିଛି। ଏସି କେବଳ ଆରାମ ପ୍ରଦାନ କରେ ନାହିଁ, ବରଂ କୋଠରୀରେ ଥିବା ବାୟୁରୁ ଆର୍ଦ୍ରତା ଅବଶୋଷଣ କରି ଏକ ସତେଜ ପରିବେଶ ସୃଷ୍ଟି କରିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏସିରୁ ବାହାରୁଥିବା କଣ୍ଡେନ୍ସେଟ୍ ଜଳର କ’ଣ କରାଯାଇପାରେ? ଏହି ପାଣି, ଯାହା ଅଧିକାଂଶ ସମୟରେ ନାଳକୁ ପ୍ରବାହିତ ହୋଇଯାଏ, ହେଲେ ଏହାକୁ ସଠିକ କାମରେ ମଧ୍ୟ ଆମେ ଲଗାଇପାରିବା। ଆସନ୍ତୁ ଜାଣିବା…

ବିଶେଷଜ୍ଞଙ୍କ ମତରେ, ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ଥାଏ। ଏହି କାରଣରୁ ଏସି ଅଧିକ ଜଳ ଅବଶୋଷଣ କରି କଣ୍ଡେନ୍ସେଟ୍ ଜଳ ଭାବେ ବାହାର କରିଥାଏ। ଏହି ପାଣି ସାଧାରଣତଃ ପରିଷ୍କାର ଏବଂ ପ୍ରଦୂଷକରୁ ମୁକ୍ତ ହୋଇଥାଏ, ଯାହା ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ଉପଯୁକ୍ତ କରିଥାଏ।

ଏସି ପାଣିର ପୁନଃବ୍ୟବହାର କିପରି କରିବେ?

ଗଛକୁ ସିଞ୍ଚନ: ଏସିରୁ ବାହାରୁଥିବା ପାଣି ଗଛକୁ ସିଞ୍ଚନ ପାଇଁ କାମରେ ଆସିପାରିବ। ଏହା ସଂଗ୍ରହ କରି ଆପଣଙ୍କ ବଗିଚା କିମ୍ବା ଇଣ୍ଡୋର ଗଛକୁ ପାଣି ଦେଇପାରିବେ। ଏହା ଦ୍ୱାରା ଟ୍ୟାଙ୍କରୁ ବ୍ୟବହୃତ ହେଉଥିବା ପାଣିର ପରିମାଣ ହ୍ରାସ ପାଇବ।

ବାସନ ଧୋଇବା: ଏକ ବାଲ୍ଟିରେ ଏସି ପାଣି ସଂଗ୍ରହ କରି ରୋଷେଇ ଘରେ ମଇଳା ବାସନ ଧୋଇବା ପାଇଁ ବ୍ୟବହାର କରାଯାଇପାରେ। ଏହା ଜଳ ସଞ୍ଚୟରେ ସାହାଯ୍ୟ କରିବ।

ଶୌଚାଳୟ ଫ୍ଲଶ୍: ଶୌଚାଳୟରେ ଫ୍ଲଶ୍ କରିବା ପାଇଁ ପ୍ରତିଦିନ ବହୁତ ପାଣି ନଷ୍ଟ ହୁଏ। ଏସି ପାଣିକୁ ଏକ ବାଲ୍ଟିରେ ସଂଗ୍ରହ କରି ଫ୍ଲଶ୍ କରିବା ପାଇଁ ବ୍ୟବହାର କଲେ ପାଣିର ଅପଚୟ ରୋକାଯାଇପାରିବ।

ପିଇବା ପାଇଁ ନିରାପଦ ନୁହେଁ

ଯଦିଓ ଏସିରୁ ବାହାରୁଥିବା ପାଣି ପରିଷ୍କାର ଦେଖାଯାଏ, ଏହା ପିଇବା ପାଇଁ ନିରାପଦ ନୁହେଁ। ଏହା ଡିଷ୍ଟିଲ୍ ପାଣି ପରି ଶୁଦ୍ଧ ନଥାଏ ଏବଂ ଏଥିରେ ଏସିର ଅଭ୍ୟନ୍ତରୀଣ ଅଂଶରୁ ଆସିଥାଇପାରେ ଏମିତି କିଛି ଅଣୁଜୀବ ବା ଅଶୁଦ୍ଧ ରହିପାରେ। ତେଣୁ ଏହାକୁ ପିଇବା ପରିବର୍ତ୍ତେ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ଉଚିତ।

ଜଳ ସଞ୍ଚୟରେ ଏକ ଛୋଟ ପଦକ୍ଷେପ

ବିଶେଷଜ୍ଞମାନେ କହିଛନ୍ତି, ଏସିରୁ ବାହାରୁଥିବା ପାଣିର ପୁନଃବ୍ୟବହାର କେବଳ ଜଳ ସଞ୍ଚୟ କରିବାରେ ସାହାଯ୍ୟ କରେ ନାହିଁ, ବରଂ ପରିବେଶ ସୁରକ୍ଷାରେ ମଧ୍ୟ ଅବଦାନ ରଖିଥାଏ। ଏହା ଏକ ଛୋଟ ପଦକ୍ଷେପ ହୋଇପାରେ, କିନ୍ତୁ ଯଦି ପ୍ରତ୍ୟେକ ଘରେ ଏହା ଅନୁସରଣ କରାଯାଏ, ତେବେ ଏହା ବୃହତ୍ ପରିବର୍ତ୍ତନ ଆଣିପାରିବ।

 

Comments are closed.