Latest Odisha News

ଅବସର ପରେ କ’ଣ କରିବେ ପାଣ୍ଡିଆନ? କହିଲେ କିଛି ଏମିତି……

ଭୁବନେଶ୍ୱର: ଚଳିତ ନିର୍ବାଚନ ରାଜ୍ୟ ରାଜନୀତିରେ ଆଣିଦେଇଛି ଘୂର୍ଣ୍ଣିଝଡ଼ | ନିରଙ୍କୁଶ ବିଜେଡି ସରକାର ହାତରୁ ଶାସନ ଭାର ଛଡାଇନେଇଛି ବିଜେପି | ଏ ସବୁପାଇଁ ଦାୟୀଥିଲେ କାଳେ ବିଜେଡି ନେତା ଭି କେ ପାଣ୍ଡିଆନ | ଯାହାଙ୍କୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ ପରେ ଆଜି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ପ୍ରାୟ ୮ ମାସ ହେବ ନୂଆ କରି ବିଜେଡିରେ ଯୋଗ ଦେଇଥିବା ଭିକେ ପାଣ୍ଡିଆନ | ଏକ ଭିଡିଓ ବାର୍ତ୍ତା ଜାରିକରି ସେ ସକ୍ରିୟ ରାଜନୀତିରୁ ଅବସର ନେଉଥିବା ଘୋଷଣା କରିଛନ୍ତି | ଏହା ସହ ଦଳୀୟ କର୍ମୀ ଓ ବିଜୁ ପରିବାରଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପାଣ୍ଡିଆନ |

ତେବେ ଏହା ପରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ, କାହିଁକି ରାଜନୀତି ଛାଡିଲେ ବୋଲି ସ୍ପଷ୍ଟ କରିବା ସହ ନିଜର ଭବିଷ୍ୟତ ଯୋଜନା ବିଷୟରେ କହିଛନ୍ତି ପାଣ୍ଡିଆନ | ସେ କହିଛନ୍ତି, ମୁଁ ରାଜନୀତିକୁ କୌଣସି କ୍ଷମତା ପାଇଁ ଆସି ନ ଥିଲି। ମୁଁ ମୋର ଗୁରୁ(ନବୀନ ପଟ୍ଟନାୟକ)ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିଲି। ସେ ଆହୁରି ମଧ୍ୟ କହିଛନ୍ତି ସୋସିଆଲ ମିଡିଆରେ ମୋତେ ଯେପରି ବ୍ୟକ୍ତିଗତ ଆକ୍ଷେପ କରାଯାଇଛି। ଗତ ନିର୍ବାଚନରେ ବିଜେଡିର ଭୋଟ ହାର ୩ ପ୍ରତିଶତ କମିଛି । ଏଥିପାଇଁ ଦଳ ହାରିଛି। ନିର୍ବାଚନ ଫଳାଫଳ ଭଲ ହୋଇ ନ ଥିବାରୁ, ମୁଁ ନିଜକୁ ଦୋଷୀ ମାନୁଛି। ସେଥିପାଇଁ ମୁଁ ଇସ୍ତଫା ଦେଉଛି । ଦଳକୁ ଜିତାଇବା ପାଇଁ ମୁଁ ହୃଦୟରୁ ପରିଶ୍ରମ କରିଛି। କିନ୍ତୁ ମୋର ଜନ୍ମସ୍ଥାନ ପରାଜୟର କାରଣ ସାଜିଲା, ଯାହା ମୋର ନିୟନ୍ତ୍ରଣ ନଥିଲା ବୋଲି ମତ ରଖିଛନ୍ତି ପାଣ୍ଡିଆନ ।

ଏହାପରେ ରାଜନୀତି ଛାଡିବା ପରେ କ’ଣ କରିବେ ପ୍ରଶ୍ନରେ ସେ କହିଛନ୍ତି, ଭବିଷ୍ୟତ ବିଷୟରେ ମୁଁ ଭାବେ ନାହିଁ। ମୁଁ ତାମିଲନାଡୁର ଏକ ଛୋଟିଏ ଗାଁରୁ ଆସିଥିଲି। ଅନେକ ସଂଘର୍ଷ ପରେ ସଫଳତା ପାଇଥିଲି। ଏହା ପରେ ମଧ୍ୟ ମୁଁ ମୋ ସ୍ବପ୍ନ ପୂରଣ କରି ପାରିଥିଲି। ମୁଁ ମୋ ଗୁରୁଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିଲି। ଏଥିରୁ ଜାଣିପାରୁଥିବେ ମୁଁ ମୋ ଗୁରୁଙ୍କ ସହ କେତେ ଜଡିତ ଥିଲି। ଏବେ ମୁଁ ପେନ୍‌ସନ୍‌ରେ ଚଳିବି , ଆଗକୁ ଅନ୍ୟ କିଛି କରିବାକୁ ଚେଷ୍ଟା କରିବି। କିନ୍ତୁ ଏବେ କିଛି ନିଷ୍ପତ୍ତି ନେଇନାହିଁ।

Leave A Reply

Your email address will not be published.