Latest Odisha News

ଭୋଜି ସାରି ଫେରିବା ବେଳେ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ସୁନ୍ଦରଗଡ଼: ଭୋଜି ସାରି ଫେରିବା ବେଳେ ଅଟୋ ଉପରେ ମାଡ଼ିଗଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସଦର ଥାନା ତେଲେନଡିହିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା  । ସୂଚନା ଅନୁଯାୟୀ ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ।

ହାଇୱା ଧକ୍କା ହେବା ପରେ ଅଟୋ ଓ ହାଇୱା ଦୁଇଟି ଯାକ ଗାଡ଼ି ପ୍ରାୟ ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡିଥିଲା। ଅଟୋରେ ଥିବା ଲୋକମାନେ ସୁନ୍ଦରଗଡ଼ ବଗିଚା ପଡ଼ାର ବୋଲି ଜଣାପଡିଛି। ସେମାନେ ପାଖରେ ଥିବା ସରସ୍ଵତୀ ନାଳକୁ ଭୋଜି କରିବା ପାଇଁ ଯାଇଥିଲେ। ଫେରିବା ସମୟରେ ଦୁର୍ଘଟଣା ଘଟିଛି। ଅଟୋ ତଳେ କିଛି ଲୋକେ ଚାପି ହୋଇଯାଇଥିଲେ, ଯେଉଁମାନଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ମେଡିକାଲକୁ ପଠାଯାଇଛି। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଚମ୍ପଟ ମାରିଛି।

ସେପଟେ ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ମୃତକଙ୍କ ପରିଚୟ ମଧ୍ୟ ମିଳିଛି, ସେମାନେ ହେଲେ ମୁସ୍କାନ ଖାତୁନ, ମୁସାନ୍ ଖାତୁନ୍,ଏର୍ଶଦ ବାନୋ, ଏନାୟତ ଏବଂ ମହମ୍ମଦ ସାଜଦ।

ଏହି ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ସୁରକ୍ଷାର ଗୁରୁତ୍ୱ ଏବଂ ସମସ୍ତ ଚାଳକଙ୍କୁ ସତର୍କତା ଅବଲମ୍ବନ କରିବା ଏବଂ ଟ୍ରାଫିକ୍ ନିୟମାବଳୀକୁ ପାଳନ କରିବାର ଆବଶ୍ୟକତାକୁ ମନେ ପକାଇ ଦେଇଛି।

Comments are closed.