Latest Odisha News

BREAKING NEWS

ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାଁ ବଦଳାଇବା ପ୍ରସଙ୍ଗ; ‘ଚୀନ୍ ମିଥ୍ୟା ଦାବି ଏବଂ ଭିତ୍ତିହୀନ କାହାଣୀ କହୁଛି’

ନୂଆଦିଲ୍ଲୀ: ରବିବାର ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ ଚୀନ୍ ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ବଦଳାଇବାକୁ ଚେଷ୍ଟା କରୁଥିବା ନେଇ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛନ୍ତି । ଏପରି ରିପୋର୍ଟକୁ ଭିତ୍ତିହୀନ ଏବଂ ରାଜନୈତିକ ଭାବରେ ଉତ୍ତେଜନା ସୃଷ୍ଟିକାରୀ ବୋଲି କହି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଖାରଜ କରିଛି ।

ରଣଧୀର ଜୟସୱାଲ ଆହୁରି କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ସମେତ ଏହି ସବୁ ସ୍ଥାନ ଏବଂ ଅଞ୍ଚଳଗୁଡ଼ିକ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ସର୍ବଦା ରହିବ। ଚୀନର ଏହି କାର୍ଯ୍ୟ ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ଏବଂ ସ୍ୱାଭାବିକ କରିବା ପାଇଁ ଚାଲିଥିବା ପ୍ରୟାସକୁ ଦୁର୍ବଳ କରୁଛି ।

ଭାରତର ବିଭିନ୍ନ ସ୍ଥାନକୁ ଚୀନ୍ ନିଜ ମନଇଛା ନାମକରଣ କରିଥିବା ଚେଷ୍ଟାକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରେ । ଚୀନ୍ ମିଥ୍ୟା ଦାବି ଏବଂ ଭିତ୍ତିହୀନ କାହାଣୀ କହୁଛି । ତେବେ ସେ ବାସ୍ତବିକତାକୁ ପରିବର୍ତ୍ତନ କରିପାରିବନି ବୋଲି ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ଡିସେମ୍ବରରେ, ଚୀନ୍ ଏକ ଚତୁର ରଣନୀତି ମାଧ୍ୟମରେ ଭାରତର ୨୧ ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଚୀନ୍ ତୱାଙ୍ଗରୁ ଅଞ୍ଜା ପର୍ଯ୍ୟନ୍ତ ୧୧ଟି ଅରୁଣାଚଳ ପ୍ରଦେଶ ଜିଲ୍ଲାର ମାନକ ନାମ ଚୀନ୍, ତିବ୍ବତୀ ଏବଂ ରୋମାନ ଲିପିରେ ପ୍ରକାଶ କରିଥିଲା। ଭାରତ ସେତେବେଳେ ଚୀନର ଏହି ପଦକ୍ଷେପକୁ ଗ୍ରହଣୀୟ ନୁହେଁ ବୋଲି କହି ନିନ୍ଦା କରିଥିଲା ।

Comments are closed.