ପୁନେ: ବୁଧବାର ବିଳମ୍ବିତ ରାତିରେ ପୁନେର ନାଭାଲେ ବ୍ରିଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଆହତ ହୋଇଛନ୍ତି। ଦୁଇଟି ବଡ଼ କଣ୍ଟେନର ଟ୍ରକ୍ ଧକ୍କା ହେବା ଫଳରେ ଏକ କାର ସେମାନଙ୍କ ମଧ୍ୟରେ ଫସି ଯାଇଥିଲା। ଧକ୍କା ପରେ ଉଭୟ ଟ୍ରକ୍ରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟରେ ପ୍ରଥମେ ମୃତ୍ୟୁ ସଂଖ୍ୟା ପାଞ୍ଚ ବୋଲି ନିଶ୍ଚିତ କରାଯାଇଥିଲା, କିନ୍ତୁ ପରେ ଏହି ସଂଖ୍ୟା ଆଠକୁ ବୃଦ୍ଧି ପାଇଲା।
ପୋଲିସ ଓ ଦମକଳ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ହସ୍ପିଟାଲ ନେଇଛନ୍ତି । ସୂଚନା ଅନୁଯାୟୀ, ମୁମ୍ବାଇ-ବେଙ୍ଗଲୁରୁ ହାଇୱେରେ ଏକ ମାଲ ବୋଝେଇ ଟ୍ରକ ବ୍ରେକ ଫେଲ ହେବାରୁ ଦ୍ରୁତ ଗତିରେ ଆସି ୬ ରୁ ଉର୍ଦ୍ଧ୍ଵ ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକରେ ଜ୍ୱଳନଶୀଳ ସାମଗ୍ରୀ ଥିବାରୁ ଗାଡ଼ିଗୁଡ଼ିକ ଜଳିବାକୁ ଲାଗିଥିଲା । ଏହି ଦୁର୍ଘଟଣାରେ ୮ ଜଣ ବ୍ୟକ୍ତି ଜିଅନ୍ତା ଜଳିଯାଇଥିବା ଜାଣିବାକୁ ମିଳିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ ।
ଟ୍ୟାଙ୍କରରେ ନିଆଁ ଲାଗି ଲୋକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଜଳି ଯାଇଥିବା ଗାଡିଗୁଡିକୁ ହଟାଇ ଟ୍ରାଫିକ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଦୁର୍ଘଟଣା ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.