ମୁମ୍ବାଇ: ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ପୁଅ ଏଆର୍ ଅମିନ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆଉ ଏନେଇ ନିଜେ ଅମିନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବାସ୍ତବରେ ଏକ କାର୍ଯ୍ୟକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବାସ୍ତବରେ, ଅମିନ ଛିଡା ହୋଇଥିବାବେଳେ ତାଙ୍କଠାରୁ ଅଳ୍ପ କିଛି ଦୂରତାରେ ଏକ ବଡ ଝୁମର ଗଳିପଡିଥିଲା । ଆଉ ଏହି ଘଟଣା ପରେ ଏଆର ରହମାନଙ୍କ ପୁଅକୁ ଶୀଘ୍ର ଘଟଣାସ୍ଥଳରୁ ଅନ୍ୟ ସ୍ଥାନକୁ ନିଆଯାଇଥିଲା । କିନ୍ତୁ ସେଦିନର ଘଟଣାକୁ ଅମିନ ଭୁଲିପାରୁ ନାହାଁନ୍ତି । ଅମିନ ତାଙ୍କ ସୋସିଆଲ ମିଡିଆରେ ପୃଷ୍ଠାରେ ଲେଖିଛନ୍ତି, “ତିନି ଦିନ ପୂର୍ବରୁ ମୁଁ ଏକ ଦୁର୍ଘଟଣା ଦେଖିଲି। କିନ୍ତୁ ବର୍ତ୍ତମାନ ମୁଁ ଭଲ ଅଛି | ତେଣୁ ମୁଁ ଭଗବାନ, ପିତାମାତା ଏବଂ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେଉଛି । ମୁଁ ମଞ୍ଚରେ ପରଫର୍ମ କରୁଥିଲି, ତେବେ କ୍ରେନରେ ଝୁଲୁଥିବା ତିନିଟି ଝୁମର ହଠାତ ଖସିପଡିଥିଲା । ତେବେ ଯଦି ମୋ ଉପରେ ପଡିଯାଇଥାନ୍ତା, ତେବେ ଘଟଣା କିଛି ଅଲଗା ହୋଇଥାନ୍ତା । ମୁଁ ଏବେ ବି ସେହି ଘଟଣାକୁ ଭୁଲିପାରୁନାହିଁ’ ।
ପେସାରେ କଣ୍ଠଶିଳ୍ପୀ ଅମିନ ତାମିଲ ଚଳଚ୍ଚିତ୍ର ‘ଓ କାଦଲ କନମୋନି’ ମାଧ୍ୟମରେ ୨୦୧୫ ମସିହାରେ ଡେବ୍ୟୁ କରିଥିଲେ। ଏହା ପରେ ଅମିନ ବିଭିନ୍ନ ଭାଷାରେ ଗୀତ ଗାଇଥିଲେ। ଉଲ୍ଲେଖ ଥାଉ କି କିଛି ଦିନ ତଳେ ଗାୟକ ବେନି ଦୟାଲଙ୍କ ସହ ଏଭଳି ଏକ ଘଟଣା ଘଟିଥିଲା । ତାମିଲନାଡୁରେ ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିବାବେଳେ ଏକ ଡ୍ରୋନ୍ ତାଙ୍କ ମୁଣ୍ଡର ପଛପଟେ ବାଜିଥିଲା। ଆଉ ବେନିଙ୍କ ମୁଣ୍ଡ ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା ।
Comments are closed.