Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ

କଟକ: ବାରଙ୍ଗରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଦୀର୍ଘ ୨୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି । 

କମିଶନରେଟ୍ ପୋଲିସ ୩ ମାସ ତଳୁ ଅଭିଯୁକ୍ତ ବିବନକୁ ଖୋଜିବା ଆରମ୍ଭ କରିଥିଲା । ମୁମ୍ବାଇ-ପୁନେ ରାସ୍ତାରେ ଛଦ୍ମ ନାମରେ ବିବନ ରହୁଥିବା ନେଇ ପୋଲିସ ଖବର ପାଇଥିଲା । ଜଳନ୍ଧର ସ୍ବାଇଁ ନାଁରେ ନଭି ମୁମ୍ବାଇରେ ରହୁଥିଲା ବିବନ । ନିଜର ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିବାରେ ଲାଗିଥିଲା ବିବନ । ମାତ୍ର ସେଥିରେ ସେ ସଫଳ ହୋଇପାରିନଥିଲା । ଶେଷରେ ପୋଲିସ ହାତରେ ଧରାପଡିଗଲା ।

ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ଦିନ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣା ସମଗ୍ର ଓଡିଶାର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣା ଦିନ ଦିନ ଗଣଦୁଷ୍କର୍ମ ପୀଡିତା ଜଣଙ୍କ ତାଙ୍କ ବାନ୍ଧବୀଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ବର ଉପକଣ୍ଠ ସ୍ଥିତ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଗାଡିଟିକୁ ଅଟକାଇ ବାନ୍ଧବୀଙ୍କ ସମ୍ମୁଖରେ ପୀଡିତାଙ୍କୁ ୩ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ । ଘଟଣା ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ଗଣଦୁଷ୍କର୍ମ ଘଟଣାରେ ପୋଲିସ ୧୯୯୯ ମସିହା ଜାନୁଆରୀ ମାସ ୨୬ ତାରିଖରେ ମାତ୍ର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ପରେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଦ୍ବାରା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗଣଦୁଷ୍କର୍ମ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ହାତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ଓଡିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଆସନ ହରାଇବାକୁ ପଡିଥିଲା ।

ସେପଟେ ବିବନକୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର କହିଛନ୍ତି ବିବନ ମୁଖ୍ୟ ଅଭିଯୁକ୍ତ ଥିଲା, ତାକୁ ଫାଶି ହେଉ । ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ୱସ୍ତି ଲାଗୁଛି । ଘଟଣା ପରେ ମୋତେ ମାରି ଦେବାକୁ ଚେଷ୍ଟା କରାଯାଇଥିଲା ବୋଲି ଅଞ୍ଜନା କହିଛନ୍ତି । 

Leave A Reply

Your email address will not be published.