Latest Odisha News

ଗିରଫ ହେଲା ଫେରାର କଏଦୀ, କୋର୍ଟ ଟଏଲେଟରୁ ମାରିଥିଲା ଚମ୍ପଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ଟଏଲେଟରୁ ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ପ୍ରଶାନ୍ତ କୁମାର ଘଡ଼େଇ ଗିରଫ। ଫେରାର କଏଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡଗଡ଼ ଥାନା ପୋଲିସ। ଗତ ୧୭ ତାରିଖରେ କୋର୍ଟରୁ ପ୍ରଶାନ୍ତ ଫେରାର ହୋଇଯାଇଥିଲା।

ସୂଚନା ଅନୁସାରେ, ଏୟାରଫିଲ୍ଡ ଥାନା ପୋଲିସ ପ୍ରଶାନ୍ତ ଘଡେଇ ନାମରେ ବିଭିନ୍ନ ଥାନାରେ ହୋଇଥିବା ଲୁଟ୍ ଅଭିଯୋଗରେ ଗିରଫ କରିଥିଲା। ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ଗତ ୧୭ ତାରିଖ ସକାଳେ ଅଭିଯୁକ୍ତକୁ ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରିବା ପାଇଁ ପୋଲିସ ଜେଲ୍ରୁ ଆଣିଥିଲା।

କୋର୍ଟ ପରିସରରେ ପହଞ୍ଚିବାର କିଛି ସମୟ ପରେ ଅଭିଯୁକ୍ତ ଶୌଚାଳୟକୁ ଯାଇ ପୋଲିସକୁ ଚକମା ଦେବାରେ ସଫଳ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସେପଟେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କର ପତ୍ତା ମିଳିନଥିଲା। ଏନେଇ ମାମଲା ରୁଜୁ ହେବା ପରେ ବଡ଼ଗଡ ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତକୁ ୟୁନିଟ୍ -୧ ମାର୍କେଟରୁ କାବୁ କରି ଥାନାକୁ ଆଣିଛି ପୋଲିସ। ପଚରାଉଚରା ବେଳେ ସେ ନିଜ ଦୋଷ ସ୍ୱୀକାର କରିଥିଲା। ଅଭିଯୁକ୍ତର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ ଭୁବନେଶ୍ବରର ଶହୀଦନଗର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ଖାରବେଳନଗର, ମଞ୍ଚେଶ୍ଵର ଏବଂ କ୍ୟାପିଟାଲ ଥାନାରେ ୧୪ଟି ଚୋରି, ଲୁଟ୍ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ପୂର୍ବରୁ କୋର୍ଟ ଚାଲାଣ ହୋଇସାରିଥିଲା। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

Comments are closed.