ଭୁବନେଶ୍ୱର: ସ୍ୱର୍ଗତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଏକ ବଡ଼ ଝଟକା ଲାଗିଛି। ବୁଧବାର ଦିନ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ସେ ବିଚାର ବିଭାଗୀୟ ହାଜତରେ ରହିବେ।
ଓଡ଼ିଶା ହାଇକୋର୍ଟ ଅକ୍ଟୋବର ୩୧ ତାରିଖରେ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରିବା ପରେ, ସେ ନଭେମ୍ବର ୨ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ଏସ୍ଡିଜେଏମ୍ (SDJM) କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହା ପରେ ନଭେମ୍ବର ୭ ତାରିଖରେ ସେ ନିୟମିତ ଜାମିନ୍ ପାଇଁ ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରେ ଆବେଦନ କରିଥିଲେ। ଯାହାକୁ ଖାରଜ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଘଟଣାଟି ୨୦୨୧ ମସିହା ଜୁଲାଇ ୧୧ ତାରିଖର ଅଟେ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଏସିଏଫ୍ (ACF) ଭାବେ କାର୍ଯ୍ୟରତ ଥିବା ସୌମ୍ୟ ରଞ୍ଜନ ନିଜ ସରକାରୀ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲେ।
ତାଙ୍କୁ ପ୍ରଥମେ ଏକ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
୨୦୨୧ ମସିହା ଜୁଲାଇ ୧୪ ତାରିଖରେ ସୌମ୍ୟ ରଞ୍ଜନଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ସେତେବେଳର ଗଜପତି ଡିଭିଜନାଲ୍ ଫରେଷ୍ଟ ଅଫିସର (DFO) ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୨୦୨୧ ମସିହା ଅଗଷ୍ଟ ମାସରେ ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ସେ ସମୟରେ ଏହି ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
