ଭୁବନେଶ୍ବର: ବାତ୍ୟା ‘ଅକୱାନ’କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ସମସ୍ତ ବିଦ୍ୟାଳୟ ତିନି ଦିନ ପାଇଁ ବନ୍ଦ ରହିବ। ଏନେଇ ବୁଧବାର ଦିନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ‘ଅକୱାନ’କୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକ ନଭେମ୍ବର ୧୯ ତାରିଖରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ, ଅର୍ଥାତ୍ ତିନି ଦିନ ପାଇଁ ବନ୍ଦ ରହିବ।
ସେହିପରି ଜିଲ୍ଲା ଅଧୀନରେ ଥିବା ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ କଲେଜଗୁଡ଼ିକରେ ମଧ୍ୟ ପାଠପଢ଼ା ବନ୍ଦ ରହିବ।ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ଜଣାଇଛନ୍ତି।
ତେବେ ଏହା ପୂର୍ବରୁ ଖୋର୍ଦ୍ଧାରେ ମଧ୍ୟ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ନେଇ ଘୋଷଣା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଅକୱାନ’ (Akvan) ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଓଡ଼ିଶାର ଗଜପତି ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି।ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଭୂସ୍ଖଳନ ହେବାର ଆଶଙ୍କା ଥିବା ୧୫୫ଟି ସ୍ଥାନ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ୪୭ଟି ସ୍ଥାନ ଚିହ୍ନଟ କରାଯାଇଛି। ଏହା ବ୍ୟତୀତ କର୍ତ୍ତୃପକ୍ଷ ସମସ୍ତ ଜଳପ୍ରପାତ, ମହେନ୍ଦ୍ରଗିରି ପାହାଡ଼ ଏବଂ ବୃନ୍ଦାବନ ପ୍ୟାଲେସ୍ (B N Palace) କୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
