ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ। ଆଇପିସିର ଧାରା ୩୦୨ ଓ ୧୨୦ ‘ବି’ ଅଭିଯୋଗ ଆଧାରରେ ଏବେ ମାମଲା ଚାଲିବ। ତିନି ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ପାରଳାଖେମୁଣ୍ଡି ଏସଡିଜିଏମ୍ କୋର୍ଟ ସମନ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖ ରହିଛି।
ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଦୁଇ ବର୍ଷ ହେବାକୁ ଯାଉଛି। ଏହି ମାମଲାରେ ନ୍ୟାୟ ନ ପାଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟରେ କମ୍ପେ୍ଲନ୍ କେସ୍ ଦାୟର କରିଥିଲେ। ପରେ କୋର୍ଟ ମାମଲାକୁ ବିଚାରଯୋଗ୍ୟ ବୋଲି କହିଛନ୍ତି। ପାରଳାଖେମୁଣ୍ଡି ଏସଡିଜିଏମ କୋର୍ଟ କହିଛନ୍ତି, ‘ଏକ ପ୍ରାଥମିକ ମାମଲା ଭଲ ଭାବେ ପ୍ରସ୍ତୁତ ହୋଇଛି ଏବଂ ଅଭିଯୁକ୍ତ ବିଦ୍ୟା ଭାରତୀ ପଣ୍ଡା, ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ପ୍ରମାଣ ରହିଛି’। ତେଣୁ ତିନି ଅଭିଯୁକ୍ତଙ୍କୁ ହାଜର ହୋଇ ପକ୍ଷ ରଖିବାକୁ କହିଛନ୍ତି। ଏହି ମୃତ୍ୟୁ ପଛରେ କିଛି ବଡ ବଡିଆ ରହିଥିବା ଅଭିଯୋଗ ରହିଛି। ଯେଉଁମାନେ କି ଏବେ ବି ସନ୍ଦେହ ଘେରରେ ରହିଛନ୍ତି। ହେଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରି ନାହିଁ।
ଏହି ବହୁଚର୍ଚ୍ଚିତ ମାମଲାରେ ବିଦ୍ୟାଭାରତୀଙ୍କର ଅନୈତିକ ସମ୍ପର୍କ ସୌମ୍ୟଙ୍କ ମୃତ୍ୟୁ ପଛର କାରଣ ବୋଲି ଅଭିଯୋଗ ରହିଛି। ଯଦିଓ ସୌମ୍ୟ ନିଆଁରେ ପୋଡ଼ିହୋଇଯିବାରୁ ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୦ ମସିହା ଡିସେମ୍ବର ମାସ ୧ ତାରିଖରେ ସୌମ୍ୟ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ । ପରେ ଜୁଲାଇ ମାସ ୧୩ ତାରିଖରେ ସନ୍ଦେହଜନକ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ସରକାରୀ କ୍ୱାର୍ଟରରେ ସ୍ବାମୀ ସ୍ତ୍ରୀ ରହିଥିଲେ। ରାତିରେ ହଠାତ ସୌମ୍ୟଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତେବେ କେମିତି ଲାଗିଲା ଏହା ଅସ୍ପଷ୍ଟ ରହିଛି। ବିଦ୍ୟାଭାରତୀ ଏ ନେଇ ପଡ଼ିଶା ଲୋକଙ୍କୁ ଓ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ବୋଲି ସୂଚନା ରହିଛି। ହେଲେ ଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଅନ୍ୟ ଏକ ଗାଡ଼ିରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏହି ସମୟରେ ଛଟପଟ ହୋଇ ପ୍ରାଣତ୍ୟାଗ କରିଥିଲେ। ଏହି ମାମଲାରେ ତଦନ୍ତ କରାଯାଇ ଚାର୍ଜଶିଟ୍ ଦାଖଲ ହୋଇସାରିଛି।
Comments are closed.