Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ୧୨୦ ପ୍ରକାର ସେବକଙ୍କ ମଧ୍ୟରେ କିଛି ଏପରି ସେବକ ଅଛନ୍ତି । ଯାହାଙ୍କ ସେବା ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସେବା ନହେଲେ ବି ନିତାନ୍ତ ପ୍ରୟୋଜନୀୟ। ଆମେ ଜାଣିଥିଲେ “ପାଇକ “ସେବା ବିଷୟରେ ଆଜି ସେହି ପର୍ଯ୍ୟାୟରେ ଜାଣିବା “ରୋଷ ପାଇକ “ସେବା ବିଷୟରେ.ଏମାନେ ସୁପକାର ଗୋଷ୍ଠୀର ସେବକ। ଏହି ସେବକମାନଙ୍କ ମୂଖ୍ୟ ଦାୟିତ୍ୱ ହେଲା ବୈଷ୍ଣବାଗ୍ନି ଯୋଗାଇବା। ତାହା ଛଡା ରୋଷ ଧୋପଖାଳ ଓ ଶୁଦ୍ଧ ହେବା ପରେ ଅମୋଣିଆ ପରିଛା ଓ ମହାସୁଆରଙ୍କୁ ଖବର ଦିଅନ୍ତି। ହୋମ ବିଷୟରେ ସମସ୍ତ ବିଷୟ ତଦାରଖ କରି ଠିକ ଠାକ ଜଣାଇଲେ ଭୋଗ ହୁଏ। କୋଠ ଭୋଗ ଯୋଗାଣିଆ କୋଠ ଭୋଗ ଯୋଗାଣିଆ କୋଠ ଭୋଗ ଜିନିଷ ଦେଲେ ଏମାନେ ଜଗିଆ ମହାସୁଆରଙ୍କ ଜିମା ଦେଇ ରୋଷ ଦ୍ୱାର ଜଗନ୍ତି। ପତ୍ରୀବଡୁ ଏହି ରୋଷ ପାଇକଙ୍କଠାରୁ ମଧୁପର୍କ ଗୁଡ଼ ନିଅନ୍ତି। ରୋଷ ଦ୍ୱାରରେ ଜଗି ଏମାନେ ଅଶୁଦ୍ଧ ବ୍ୟକ୍ତିଙ୍କୁ ବାରଣ କରନ୍ତି । ତାଛଡା ଦାଢ଼ି ନିଶ ରଖିଥିବା, ସିନ୍ଦୁର ଲଗାଇଥବା, ମହାପ୍ରସାଦ ଧରିଥିବା ବ୍ୟକ୍ତିମାନଙ୍କୁ ରୋଷକୁ ଛାଡ଼ନ୍ତି ନାହିଁ। ଏହି ସେବକ କୁଆଙ୍କୁ ଉଡେଇବା ପାଇଁ ବା ଆଡେଇବା ପାଇଁ ଛେକ ଆଗରେ କାଠ ଖଣ୍ଡ ଧରି ଧୁକୁଡି ଦ୍ୱାର ଯାଏଁ ଯାଇଥାନ୍ତି। ଏହି ସେଵା ମଧ୍ୟ ଶାଢ଼ୀ ବନ୍ଧା ସେବା ନୁହେଁ, କିନ୍ତୁ ବଂଶାନୁକ୍ରମିକ ଅଟେ। ସେହିପରି ଆଉ ଏକ ଗୋଷ୍ଠୀ ସେବକ ଯାହାଙ୍କୁ ଆମେ ସୁଆର ଗୋଷ୍ଠୀର ବୋଲି କହିଥାଉ ସେମାନେ ହେଲେ “ବାହାର ଦେଉଳି ସୁଆର ” । ଏମାନେ ଦୈନିକ ଗୋଦାମରୁ ଯୋଗାଣିଆଙ୍କଠାରୁ କୋଠ ଭୋଗ ଜିନିଷ ନେଇ ଲକ୍ଷ୍ମୀଙ୍କ ରୋଷ ଘରେ ଦିଅନ୍ତି। ଏହିଠାରେ ବାହାର ଦେଉଳି ରୋଷ କରାଯାଇ ବିଭିନ୍ନ ପିଠା ପ୍ରସ୍ତୁତ କରନ୍ତି ଓ ବିଣ୍ଡଭୋଗ ଛେକ ଲଷ୍ମୀଠାକୁରାଣୀଙ୍କ ଦେଉଳକୁ ନିଅନ୍ତି। ଏହିପରି ଭାବରେ ଆଗାମୀ ଅଧ୍ୟାୟରେ ଚର୍ଚ୍ଚା କରିବା ଅନ୍ୟ ସେବା ବିଷୟରେ, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ସାତ୍ଵିକ ଗୁଣେ ମନ ଧରି
ସାଧିବ ଅଳ୍ପ ଅଳ୍ପ କରି ।
ଅଭ୍ୟାସେ ନବ ଦ୍ୱାର ରୁନ୍ଧି
ମନ ପବନ ହୃଦେ ଛନ୍ଦି ।
ସର୍ବ ବିଷୟ ରସୁଁ ମନ
ଅଭ୍ୟାସେ କରିବ ବନ୍ଧନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.