Latest Odisha News

BREAKING NEWS

ବୁମେରାଂ ହେଲା ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅଫିସରଙ୍କ ପାଇଁ ସତର୍କ ଘଣ୍ଟି ?

ଭୁବନେଶ୍ୱର: ନିର୍ବାଚନ ବେଳ ଶେଷ ଥର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି । ଶେଷ ପର୍ଯାୟରେ ସମସ୍ତ ବଳ ଲଗାଇ କିଭଳି ଅଧିକ ଆସନ ଓଡିଶାରେ ବିଜେପି ଜିତିବ ସେ ଲକ୍ଷ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାପୂର୍ବରୁ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ ଏଏନଆଇକୁ ସାକ୍ଷାତକାର ଏବଂ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ଦୁଇ ବରିଷ୍ଠ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯାନୁଷ୍ଠାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ଜୁନ୪ରେ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏବଂ ପରେ କଣ ହୋଇପାରେ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ବୁମେରାଂ ହେଲା ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନିର୍ବାଚନ ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ ଭଙ୍ଗାରୁଜା ମାମଲାରେ ଜେଲ୍ ଯାଇଛନ୍ତି। ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଯେଉଁ ସିସିଟିଭି ଫୁଟେଜ ସାର୍ବଜନୀନ ହୋଇଛି ତାହା ପ୍ରମାଣ କରୁଛି ଜଗଦ୍ଦେବଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି। ଏବେ ସଂପୃକ୍ତ ପ୍ରିଜାଇଡିଂ ଅଫିସର ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକ। କାରଣ ଏତଲା ଯେଉଁଭଳି ସେ ଦେଇଛନ୍ତି ସେହି ଆଧାରରେ ସିସିଟିଭି ଫୁଟେଜରେ କୌଣସି ପ୍ରମାଣ ନାହିଁ। ଏପରି ସ୍ଥିତିରେ ଘଟଣା ସାର୍ବଜନୀନ ହୋଇଯିବା ପରେ ଅକଳରେ ରାଜ୍ୟ ସରକାର। କାରଣ ବିଜେପି କହି ଆସୁଛି, ଜଗଦ୍ଦେବଙ୍କୁ ଗିରଫ ପଛରେ ପୋଲିସର ଷଡଯନ୍ତ୍ର ରହିଛି। ଏବେ ନିର୍ବାଚନ ଆୟୋଗ ମଧ୍ୟ ଏହି ମାମଲାରେ ତ୍ୱରିତ ପଦକ୍ଷେପ ନେବାକୁ କହିସାରିଲେଣି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଭିଡିଓ ସାର୍ବଜନୀନ ହେବା ପରେ ଏସପିଙ୍କୁ ଯାଂଚ କରି ରିପୋର୍ଟ ଦେବାକୁ କହିଛନ୍ତି।

ସିଏମଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ନିୟୋଜିତ ଦୁଇ ପ୍ରମୁଖ ଅଫିସ ଡି.ସେ କୁଟ୍ଟେ ଏବଂ ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଉ କୁଟ୍ଟେଙ୍କୁ ଦିଲ୍ଲୀ ଡକାଇବା, ଆଶିଷ କେଉଁ ଆଧାରରେ ମେଡିକାଲ ଲିଭରେ ଅଛନ୍ତି ତାର ଯାଂଚ ହେବା ଅର୍ଥ ବିଜେଡି ସରକାର ଏବେ ସ୍କାନରରେ। ଏହି ଦୁଇ ଜଣ ଭି.କେ ପାଣ୍ଡିଆନଙ୍କ କୋଟେରୀରେ ବୋଲି କୁହାଯାଏ। ଯେଉଁମାନେ କି ସରକାରକୁ ନିୟନ୍ତ୍ରଣ କରୁଥିଲେ। ଏବେ ଯଦି ଦୁଇ ଅଫିସରଙ୍କ ବିରୋଧରେ ଚାର୍ଜ ସିଟ ହେବ ତାହେଲେ ଆଗାମୀ ଦିନରେ ଅଡୁଆରେ ପଡିପାରେ ସରକାର ବା ଦଳ ।

ଅଫିସରଙ୍କ ପାଇଁ ସତର୍କ ଘଣ୍ଟି

ବିଜେପି ସରକାର ଗଢିବ ବୋଲି ଦମ୍ବୋକ୍ତି ଦେଖାଉଛି। ଏହାରି ଭିତରେ ସୁଜାତା କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇବା, କୁଟ୍ଟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । କୁହାଯାଉଛି, ଯେଉଁ ଅଫିସର ଏବଂ ବ୍ୟବସାୟୀ ଶାସକ ଦଳ ପାଇଁ କାମ କରୁଥିବେ ସେମାନେ ଏବେ କୁଆଡେ ସ୍କାନରରେ ରହିଛନ୍ତି। ମୋଦୀ ତୃତୀୟ ଥର କ୍ଷମତାକୁ ଫେରିଲେ ଏବଂ ରାଜ୍ୟର ଯଦି ସରକାର ଗଢିବେ ତାହେଲେ କୋଟେରୀ ଲିଙ୍କରେ ଥିବା ଅଫିସରଙ୍କ ସ୍ଥିତି ଚିନ୍ତାଜନକ ହୋଇପାରେ।

ସକାଳେ କହିଥିଲେ ସମ୍ପର୍କର ଦ୍ୱାହି ଦେବେ, ସଂଧ୍ୟାରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ
ସାକ୍ଷାତକାରରେ ମୋଦୀ କହିଛନ୍ତି, ଗଣତନ୍ତ୍ରରେ ରାଜନୈତିକ ଦଳର ସମସ୍ତ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଗଣତନ୍ତ୍ରରେ ଶତ୍ରୁତା ନାହିଁ। ଏବେ ପ୍ରଶ୍ନ ଉଠୁଥିଲା ମୁଁ ମୋର ସମ୍ପର୍କ ବଜାୟ ରଖିବି ନା ଓଡ଼ିଶାର ଭାଗ୍ୟକୁ ନେଇ ଚିନ୍ତିତ ହେବି। ସେଥିପାଇଁ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପସନ୍ଦ କଲି, ଯଦିଓ ଏଥିପାଇଁ ମୋର ସମ୍ପର୍କକୁ ତ୍ୟାଗ କରିବାକୁ ପଡ଼ିବ; ମୁଁ ଏହା କରିବି ଏବଂ ନିର୍ବାଚନ ପରେ ମୁଁ ସମସ୍ତଙ୍କୁ ବୁଝାଇଦେବି ଯେ କାହା ସହିତ ମୋର କୌଣସି ଶତ୍ରୁତା ନାହିଁ। ଏହାରି ଭିତରେ ସଂଧ୍ୟାରେ ନିର୍ବାଚନ କମିଶନ କୁଟ୍ଟେଙ୍କୁ ନିଲମ୍ବିତ କରିବା ଏବଂ ଆଶିଷ ସିଂଙ୍କ ମେଡିକାଲ ଲିଭର ସତ୍ୟତା ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ନବୀନଙ୍କ ସହ ଆମର ବିବାଦ ନାହିଁ
ପ୍ରଚାର ଭିତରେ ଯଦି କୌଣସି ବିଜେପି ନେତାଙ୍କ ପ୍ରଚାରକୁ ବିଜେଡି ଅଧିକ ବିରୋଧ କରିଛି ସେ ହେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହାରି ଭିତରେ ହିମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ତାଙ୍କର କୌଣସି ବିବାଦ ନାହିଁ । ସେ ଜଣେ ମୁଖ୍ୟମନ୍ତ୍ରୀ । ସେ ଜଣେ ଅନୁଷ୍ଠାନ । କିନ୍ତୁ ଜଣେ ଅବସରପ୍ରାପ୍ତ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ହାତର ଗତିବିଧିକୁ ନିୟନ୍ତ୍ରଣ କରିବ ତାହା ଗ୍ରହଣୀୟ ନୁହେଁ । ଏପରି କହି ସେ ପାଣ୍ଡିଆନକୁ ଟାର୍ଗେଟ କରୁଛନ୍ତି । ଯାହାକୁ ସେ କେବଳ ନୁହଁ ମୋଦୀ, ଶାହ ମଧ୍ୟ ଜୋରଦାର ବର୍ଷୁଛନ୍ତି ।

ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ଶେଷ ବାର୍ତ୍ତା
ବୁଧବାର ଓଡ଼ିଶାରା ପାଦ ଥାପିବା ପୂର୍ବରୁ ମୋଦୀଙ୍କ ଏହି ବାର୍ତ୍ତା ସୂଚାଇ ଦେଇଛି ଯେ ଓଡ଼ିଶାରେ ବିଜେଡି ସହ ବିଜେପି ଆଉ ମେଣ୍ଟ କରିବା ଲକ୍ଷ୍ୟରେ ନାହିଁ । ବରଂ ରାଜ୍ୟରେ କିଭଳି ଶାସନ ଗାଦିରେ ବସିବ ସେ ଲକ୍ଷ୍ୟରେ ରହିଛି । କାରଣ ଭୋଟ୍ ହାତେଇବାକୁ ଯାଇ ମୋଦୀ କହିସାରିଛନ୍ତି, ବିଜେପି କ୍ଷମତାକୁ ଆସିଲେ ମାଫିଆର ଅଣ୍ଟା ଭାଙ୍ଗିଦେବେ । ଚିଟଫଣ୍ଡରେ ସଂପୃକ୍ତ ନେତାଙ୍କୁ ଜେଲ୍ ପଠାଯିବ । କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରିପାଇବେ ଏବଂ ରତ୍ନଭଣ୍ଡାର ଚାବି ମଧ୍ୟ ସାର୍ବଜନୀନ ହେବ । ମୋଦୀଙ୍କ ଏହି ବାର୍ତା ଆଉ ଏହାରି ଭିତରେ ସେ କହିଥିଲେ ରାଜ୍ୟ ସରକାର ଗୋଟିଏ କୋଟେରୀ ଦ୍ୱାରା ପରିଚାଳିତ ହେଉଛି । ଏହି ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରିବା ଓ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦେଇଛି ବଡ ଇସାରା ।

ସରକାର ଗଢିବା ମୁଡରେ ବିଜେପି
ନିକଟରେ ପାଣ୍ଡିଆନ୍ ପ୍ରେସମିଟରେ କହିଥିଲେ ବିଜେପି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଏହାରି ଭିତରେ ବିଜେପି ମଧ୍ୟ ବାରମ୍ବାର ଦାବି କରୁଛି, ସେ ସରକାର ଗଢିବ । ଆଉ ପ୍ରମୁଖ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଳରେ ଶାସକ ଦଳର ବିଧାୟକଙ୍କୁ ବିଜେପିରେ ସାମିଲ ହେବାକୁ ଦିଆଯାଉନି ତ ବଡ ବାର୍ତ୍ତା?

Leave A Reply

Your email address will not be published.