ହାଇଦ୍ରାବାଦ: ଫିଲ୍ମ ରିଲିଜ ହେବା ପୂର୍ବରୁ ଭାଷା ବିବାଦରେ ଫସିଗଲେ ଅଭିନେତା କମଲ ହାସନ। ତାମିଲ ମେଗାଷ୍ଟାର କମଲ ହାସନ ତାଙ୍କର ନୂତନ ଫିଲ୍ମ ‘ଥଗ୍ ଲାଇଫ୍’ ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କ ବୟାନ ଏବେ ନୂତନ ବିବାଦ ସୃଷ୍ଟି କରିଛି। ଅଭିନେତା ଚେନ୍ନାଇରେ ଚଳଚ୍ଚିତ୍ର ପ୍ରଚାର କାର୍ଯ୍ୟକ୍ରମରେ “କନ୍ନଡ଼ ଭାଷା ତାମିଲରୁ ଜନ୍ମ ହୋଇଛି” ବୋଲି କହି ଫସିଗଲେ। ତାଙ୍କର ନୂତନ ଚଳଚ୍ଚିତ୍ର ‘ଥଗ ଲାଇଫ’ର ଅଡିଓ ଲଞ୍ଚ ସମୟରେ କରାଯାଇଥିବା ଏହି ମନ୍ତବ୍ୟ ପ୍ରୋ-କନ୍ନଡ଼ ଗୋଷ୍ଠୀଙ୍କଠାରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛି।
ଏବେ ତାଙ୍କ ମନ୍ତବ୍ୟ ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। କିଛି ରାଜନୈତିକ ଦଳର ନେତା ଏବଂ କିଛି ସଂଗଠନର ଲୋକମାନେ ତାଙ୍କ ବକ୍ତବ୍ୟ ଉପରେ ତିବ୍ର ଆକ୍ରମଣ ଆରମ୍ଭ କରିଛନ୍ତି। ଅଭିନେତା ତାଙ୍କର ଭାଷଣ “ଉୟିରେ ଉରାଭେ ତାମିଝ” ବାକ୍ୟାଂଶରୁ ଆରମ୍ଭ କରିଥିଲେ, ଯାହାର ଅର୍ଥ “ମୋର ଜୀବନ ଏବଂ ମୋ ପରିବାର ହେଉଛି ତାମିଲ ଭାଷା।”
ସେ ଆହୁରି କହିଥିଲେ, “ଅଭିନେତା ଶିବରାଜକୁମାର ହେଉଛନ୍ତି ଅନ୍ୟ ରାଜ୍ୟରେ ରହୁଥିବା ମୋର ପରିବାର। ସେଥିପାଇଁ ସେ ଏଠାରେ ଅଛନ୍ତି। ଏହା ହିଁ କାରଣ ଯେ ମୁଁ ମୋର ଭାଷଣ ଆରମ୍ଭ କରି କହିଥିଲି ‘ମୋର ଜୀବନ ଏବଂ ମୋର ପରିବାର ହେଉଛି ତାମିଲ’। ଆପଣଙ୍କ ଭାଷା (କନ୍ନଡ଼) ତାମିଲରୁ ଜନ୍ମ ହୋଇଛି। ତେଣୁ ଆପଣ ଏହି ବାକ୍ୟରେ ଅନ୍ତର୍ଭୁକ୍ତ।” ମଣି ରତ୍ନମଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କାର୍ଯ୍ୟକ୍ରମରେ ଶନିବାର କନ୍ନଡ଼ ଅଭିନେତା ଶିବରାଜକୁମାର ମଧ୍ୟ ଉପସ୍ଥିତ ଥିଲେ। ଏହି ମନ୍ତବ୍ୟ କର୍ଣ୍ଣାଟକରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି।
କନ୍ନଡ଼ ରକ୍ଷଣା ବେଦିକେ ଭଳି ପ୍ରୋ-କନ୍ନଡ଼ ସଂଗଠନଗୁଡ଼ିକ ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଏବଂ କମଲ ହାସନ ଯଦି ଏଭଳି ମନ୍ତବ୍ୟ ଜାରି ରଖନ୍ତି ତେବେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ବେଙ୍ଗାଲୁରୁରେ ପ୍ରୋ-କନ୍ନଡ଼ କାର୍ଯ୍ୟକର୍ତ୍ତାମାନେ ‘ଥଗ ଲାଇଫ’ର ବ୍ୟାନର ଚିରି ଫାଡ଼ିଛନ୍ତି ଏବଂ କମଲ ହାସନଙ୍କ ମନ୍ତବ୍ୟ ନେଇ ତାଙ୍କୁ ଚେତାବନୀ ଜାରି କରିଛନ୍ତି।
Comments are closed.