ଭୁବନେଶ୍ଵର: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଉଜ୍ଜ୍ବଳ ତାରକାଙ୍କ ଜୀବନ ଦୀପ । ଦୁନିଆରୁ ବିଦାୟ ନେଇ ସମସ୍ତଙ୍କ ମନରେ ଗଭୀର ଆଘାତ ଦେଇଛନ୍ତି ଉତ୍ତମ । ଆଉ ଯେତେ ଖୋଜିଲେ ବି ମିଳିବେନି ଦଣ୍ଡା ବାଳୁଙ୍ଗା । ଉତ୍ତମଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର । ପୁଅ ବାବୁଶାନଙ୍କ ସହ ପତ୍ନୀ ଅପରାଜିତା ଏକା ହୋଇପଡିଛନ୍ତି । ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ ।
ଆଉ କିଛି ସମୟ ପରେ ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ସେଠାରୁ ସିଧାସଳଖ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ନିଆଯିବ ତାଙ୍କ ପାର୍ଥିବ ଶରୀର । ସେଠାରେ ତାଙ୍କର ଶେଷ ଦର୍ଶନ ଅନୁଷ୍ଠିତ ହେବ । ଏହାପରେ ତାଙ୍କୁ ଭୁବନେଶ୍ବରସ୍ଥିତ ସତ୍ୟନଗର ଶ୍ମଶାନକୁ ଅଣା ଯିବ । ସେଠାରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଏନେଇ ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ।
ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ହୃଦଘାତ ହୋଇଥିଲା।
Comments are closed.