ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ରଖିଥାନ୍ତି। ଦେଶରେ ବଢୁଥିବା ଯୌନ ଶୋଷଣ ଏବଂ ଦୁଷ୍କର୍ମ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରି କହିଛନ୍ତି ଯେ ଭାରତରେ ମଧ୍ୟ ଇଟାଲି ପରି କଡା ଆଇନ ରହିବା ଦରକାର। ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଇନକୁ ପ୍ରଶଂସା କରିଛନ୍ତି।
ଇଟାଲୀରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ସରକାର ଯୌନ ଶୋଷଣ ତଥା ଦୁଷ୍କର୍ମ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକ ରାସାୟନ ଦ୍ୱାରା ବନ୍ଧ୍ୟାକରଣ (ଔଷଧ ମାଧ୍ୟମରେ ନପୁଂସକ କରାଇବା) ଆଇନ ପ୍ରସ୍ତୁତ କରିଥିଲେ। ତେବେ ଚଳିତ ବର୍ଷ ସେପ୍ଟେମ୍ବରରେ ଇଟାଲୀ ସାଂସଦମାନେ ଏହିଭଳି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଣ୍ଡ୍ରୋଜେନ୍ ବ୍ଲକ ଔଷଧକୁ ଆଇନଗତ ଭାବେ ବ୍ୟବହାରକୁ ମଞ୍ଜୁରୀ ଦେବା ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରି ଏକ କମିଟି ମଧ୍ଯ ଗଠନ କରିଥିଲେ। ଯାହାକୁ ବର୍ତ୍ତମାନ ସ୍ଵିକୃତି ମିଳିଯାଇଛି।
ପ୍ରୀତି ଜିଣ୍ଟା ଏହାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଏକ୍ସ’ରେ ଟ୍ୟାଗ୍ କରି ଲେଖିଛନ୍ତି ଯେ ଏହା ଏକ ବହୁତ ଭଲ ପଦକ୍ଷେପ ଏବଂ ମୁଁ ଆଶା କରୁଛି କି ଭାରତରେ ମଧ୍ୟ ଏହିଭଳି କିଛି ଆଇନ ରହିବା ଦରକାର। ଏହିଭଳି ଅପରାଧକୁ ଆଦୌ ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ପ୍ରିତି ଜିଣ୍ଟାଙ୍କର ଏହି ପୋଷ୍ଟରେ ଅନେକ ୟୁଜର୍ସ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ଭାରତରେ ପ୍ରକୃତରେ ଜିରୋ ଟଲରେନ୍ସ ନିୟମ ରହିବା ଆବଶ୍ୟକ ଯେମିତି କି ଉତ୍ତର ପ୍ରଦେଶ ରେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ଯେଉଁଠାରେ କୌଣସି ଅପରାଧ ଏବଂ ଦଙ୍ଗା ପାଇଁ ସ୍ଥାନ ନାହିଁ।
ତେବେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏଭଳି ଆଇନ ଠିକ ଅଛି କିନ୍ତୁ ଏହାଦ୍ବାରା ଯୌନ ଶୋଷଣ ଏବଂ ଦୁଷ୍କର୍ମ ରୋକାଯାଇପାରିବ ନାହିଁ।