ଭୁବନେଶ୍ଵର: ସରିଲା ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ଚଳିତ ବର୍ଷ ମଙ୍ଗଳବାରରେ ଛାଡଖାଇ ପଡିଥିଲେ ମଧ୍ୟ ଆମିଷ ଦୋକାନରେ ଖଚାଖଚ୍ ଭିଡ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ? କାହିଁକି ପାଳନ କରାଯାଏ ଛାଡଖାଇ । ଏନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି । ତେବେ ଆସନ୍ତୁ ଜାଣିବା ସେ ସବୁ ବିଷୟରେ …
ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି ହେଉଛି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ମାସ ଶେଷ ହେବାର ପରଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ ଛାଡଖାଇ । ବହୁ ଲୋକ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ସାରା ଆମିଷ ଭକ୍ଷଣ କରୁନଥିବା ବେଳେ କିଛି କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ ପଞ୍ଚୁକରୁ ଆମିଷ ଭକ୍ଷଣ କରିନଥାନ୍ତି ।
କଥା ଅନୁସାରେ, ହବିଷ କରୁଥିବା ମହିଳାମାନେ ପୁରା ମାସ ସାରା ଗୋଟିଏ ଥର ଖାଇ ବ୍ରତ ପାଳନ କରିଥାନ୍ତି । ପୂର୍ଣ୍ଣମୀ ପରଦିନକୁ ସେମାନେ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି । ଯେହେତୁ ଖାଇବା ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ ।
ଅନ୍ୟ ଏକ ଲୋକ କଥା ଅନୁସାରେ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ସେବେଠୁ ଏହି ଛାଡ଼ଖାଇର ପ୍ରଥା ରହି ଆସୁଛି ବୋଲି ଶୁଣିବାକୁ ମିଳିଥାଏ ।
କିନ୍ତୁ ଆଜିକାଲିର ଯୁବପିଢି ଛାଡଖାଇକୁ ଅଲଗା ଅର୍ଥରେ ନେଇ, ଏହି ପବିତ୍ର ଦିନରେ ଲକ୍ଷ ଲକ୍ଷ ନିରୀହ ଜୀବଙ୍କୁ କଲବଲ କରି ମାରି ତାକୁ ଭକ୍ଷଣ କରିଥାନ୍ତି । ମାସକ ଯାକରେ ଅର୍ଜନ କରିଥିବା ସବୁ ପୂଣ୍ୟକୁ ସାରି ଏହି ଦିନ ଅନେକ ପାପର ଭାଗୀଦାରି ହୋଇଥାନ୍ତି ।
Comments are closed.