ଭଦ୍ରକ: ଧାମରା ବନ୍ଦରରେ ଚୀନରୁ ପାଇପ ନେଇ ଜାହାଜ ଆସିଥିବା ଖବରର କୌଣସି ସତ୍ୟତା ନଥିବା ଅଦାନି ଗ୍ରୁପ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
ଏହି ଜାହାଜ କିମ୍ବା ଚାଳକ ଦଳ ମଧ୍ୟରୁ କାହାର ବି ଚୀନ କିମ୍ବା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସୂଚିତ କୌଣସି କୋଭିଡ୧୯ ପ୍ରଭାବିତ ଦେଶ ସହ ସମ୍ପର୍କ ନ ଥିବା କମ୍ପାନି ପକ୍ଷରୁ ଉଲ୍ଲେଖ କରାଯାଇଛି ।
ଦିଆଯାଇଥିବା ସୂଚନା ଅନୁଯାୟୀ ଏମ୍ଭି ଟ୍ରାନ୍ ଆନ୍ ୦୫ ନାମିତ ଏହି ଜାହାଜଟି ଭିଏତନାମର ହାଇଫୋଙ୍ଗ ବନ୍ଦରରୁ ସିମେ ପାଇପ ନେଇ ୧୮ ତାରିଖରେ ଧାମରା ବନ୍ଦରରେ ଲାଗିଥିଲା । ଏହାର ଚାଳକ ଦଳ ମଧ୍ୟରେ ୧୮ ଜଣ ଭିଏତନାମ ଓ ୨ ଜଣ ଭାରତୀୟ ନାଗରିକ ରହିଥିବା କୁହାଯାଇଛି ।
ଏହି ଚିଠିରେ କମ୍ପାନି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏହି ଭଳି ଗୁଜବ ଓ ମିଥ୍ୟା ତଥ୍ୟ ପ୍ରସାର କରୁଥିବା ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବା ସହିତ ଏଥିରୁ କ୍ଷାନ୍ତ ରହିବା ପାଇଁ ଆଦେଶ ଦେବାକୁ ଅନୁରୋଧ କରାଯାଇଛି ।
ଜରୁରୀ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା ଯୋଗୁଁ ସମସ୍ତେ ସଂଯମତା ରକ୍ଷା କରିବା ଅବଶ୍ୟକ ରହିଥିବାରୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଗୁଜବ ସୃଷ୍ଟିକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ କମ୍ପାନି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି।
Comments are closed.