Latest Odisha News

ଆଦାନୀ-ହିଣ୍ଡେନବର୍ଗ ମାମଲା, ନିଜ ଆଡୁ କମିଟି ଗଠନ କରି ତଦନ୍ତ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଆଦାନୀ ହିଣ୍ଡେନବର୍ଗ ମାମଲାରେ ତଦନ୍ତ ପାଇଁ ଏବଂ ସେୟାର ବଜାରକୁ ପରାମର୍ଶ ଦେବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଏହି ବିଶେଷଜ୍ଞ କମିଟିର ନେତୃତ୍ୱ ଜଣେ ପୂର୍ବତନ ବିଚାରପତି ନେବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଡ ଆଜି ଶୁଣାଣି ବେଳେ ଏହା କହିଛନ୍ତି। ଏହି କମିଟି ଷ୍ଟକ୍ ମାର୍କେଟର କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦିଗରେ କାମ କରିବ। ତେବେ ଶୁକ୍ରବାର କୋର୍ଟ ଏହା କହି ମାମଲାକୁ ସଂରକ୍ଷିତ ରଖିଛନ୍ତି।

ପ୍ରଧାନବିଚାରପତି କହିଛନ୍ତି, ଏହି ମାମଲାରେ ସେ ତାଙ୍କ ତରଫରୁ ବିଶେଷଜ୍ଞଙ୍କ କମିଟି ଗଠନ କରିବେ। ଏହି ମାମଲାରେ ସୁପ୍ରିମକୋର୍ଟଙ୍କୁ ସରକାର ବନ୍ଦ ଲଫାପାରେ ଏକ ବିଶେଷଜ୍ଞ କମିଟି ଦେବେ ବୋଲି ସୁପାରିଶ କରିଥିଲେ। ହେଲେ ଏହି ଟିମ ଗଠନ କଲେ ସରକାରଙ୍କ ଦ୍ୱାରା ଗଠିତ ଟିମ୍ ବୋଲି ବୁଝାପଡିବ। ଏପରି ହେଲେ ଲୋକଙ୍କର ବିଶ୍ୱାସଭାଜନ ହୋଇପାରିବା ନାହିଁ। ତେଣୁ ନିଜ ଆଡୁ ଏହି ମାମଲାରେ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି।

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ମାମଲାରେ ମୋଟ୍ 4ଟି ପିଆଇଏଲ କୋର୍ଟରେ ଦାୟର ହୋଇଛି। କୋର୍ଟ ଫେବୃଆରୀ 10ରେ ଶୁଣାଣି କରି ସେବି ଏବଂ ଭାରତ ସରକାରଙ୍କୁ ପ୍ରସ୍ତାବ ମାଗିଥିଲେ। କିଭଳି ସେବି ସୁରକ୍ଷିତ ଏବଂ ନିୟାମକ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ ସେ ବାବଦରେ ପରାମର୍ଶ ଲୋଡ଼ିଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ମାମଲାର ଶୁଣାଣି ବେଳେ ଆଇନଜୀବୀ ପ୍ରଶାନ୍ତ ଭୂଷଣ କିଛି ବିଶେଷଜ୍ଞଙ୍କ ନାମ ସୁପାରିଶ କରିଥିଲେ। ହେଲେ ଏହାକୁ ନେଇ ଆପତ୍ତି ଉଠାଇଥିଲା କେନ୍ଦ୍ର। ଜବାବରେ ସୁପ୍ରିମକୋର୍ଟ କହିଥିଲେ, ଆପଣଙ୍କ ଦ୍ୱାରା ଆସିଥିବା ପ୍ରସ୍ତାବକୁ ମଧ୍ୟ ଆମେ ଗ୍ରହଣ କରିବୁ ନାହିଁ।

 

 

Comments are closed.