Latest Odisha News

BREAKING NEWS

ଉଦ୍ଧବଙ୍କୁ ବଡ଼ ଝଟକା, ଅସଲି ଶିବ ସେନା ସିନ୍ଦେ ଗୋଷ୍ଠୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ବଡ଼ ଝଟକା । ଶିବସେନା କାହାର ? ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ସହ ଦଳର ଚିହ୍ନ ଧନୁ ତୀର ଖସିଥିବା ବେଳେ ପାଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ।

ନିର୍ବାଚନ କମିଶନଙ୍କ ଏ ନିଷ୍ପତ୍ତି ପରେ ସିନ୍ଦେ କହିଛନ୍ତି ଏହା ଗଣତନ୍ତ୍ରର ବିଜୟ । ଶିବସେନା ନାଁ ଓ ଦଳର ଚିହ୍ନକୁ ଦୀର୍ଘ ଦିନ ହେଲା ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି । ଇସିଙ୍କ ନିଷ୍ପତ୍ତି ଅନୁସାରେ, ଉଦ୍ଧବଙ୍କ ହାତରୁ ଦଳ ସହ ଚିହ୍ନ ବି ଖସି ଯାଇଛି ।

ଅନ୍ୟପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ଶିବସେନା ସାଂସଦ ସଞ୍ଜୟ ରାୱତ ଟ୍ୱିଟ୍ କରି ଲେଖିଛନ୍ତି, ଏହାର ସ୍କ୍ରିପ୍ଟ ପୂର୍ବରୁ ହିଁ ପ୍ରସ୍ତୁତ ଥିଲା । ଦେଶ ଏକ ନିଷ୍ଠୁର ଶାସନ ଆଡ଼କୁ ଅଗ୍ରସହର ହେଉଛି । ଯେତେବେଳେ କି କୁହା ଯାଇଥିଲା ଫଳାଫଳ ଆମ ସପକ୍ଷରେ ଆସିବ । କିନ୍ତୁ ଏବେ ଚମତ୍କାର ହୋଇଛି । ଉପରୁ ତଳ ଯାଏ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଛି । ଆମେ ଡରୁନୁ, ଲୋକେ ଆମ ସହ ଅଛନ୍ତି । ଆମେ ଲୋକଙ୍କ ପାଖକୁ ନୂଆ ଚିହ୍ନ ନେଇ ଯିବୁ, ପୁଣି ଥରେ ଶିବସେନାକୁ ଛିଡ଼ା କରି ଦେଖାଇବୁ ।

୭୮ ପୃଷ୍ଠାର ନିଷ୍ପତ୍ତିରେ ନିର୍ବାଚନ କମିଶନ ଉଲ୍ଲେଖ କରିଛନ୍ତି, ବିଧାନ ପରିଷଦରୁ ନେଇ ସଂଗଠନ ଯାଏ ବହୁମତ ସିନ୍ଦେ ଗୋଷ୍ଠୀ ସପକ୍ଷରେ । ଶିବସେନାକୁ ହାତେଇବା ଲାଗି ୨ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅନେକ କାଗଜପତ୍ର ପ୍ରଦାନ କରାଯାଇଥିଲା ।

ଗତବର୍ଷ ଜୁନରେ ଏକନାଥ ସିନ୍ଦେଙ୍କୁ ନେଇ ଦଳରେ ୨ ଗୋଷ୍ଠୀ ସୃଷ୍ଟି ହୋଇଥିଲା । ଯାହାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ସହ ଦେବେନ୍ଦ୍ର ଫଡନାବିସ୍ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଯାହା ପରେ ପ୍ରକୃତ ଶିବସେନା କିଏ ତାକୁ ନେଇ ଆରମ୍ଭ ହୋଇଥିଲା ନ୍ୟାୟିକ ଲଢ଼େଇ । ଯେଉଁଥିରେ ଉଦ୍ଧବ ବାପା ଗଠନ କରିଥିବା ଦଳ ସହ ଚିହ୍ନକୁ ହରାଇଛନ୍ତି ।

Leave A Reply

Your email address will not be published.